୨୯ ଜଣ ସାମ୍ବାଦିକଙ୍କ ନାଁରେ ମାନହାନି ମକଦ୍ଦମା କଲେ ଶିଳ୍ପା

  • ମୁମ୍ବାଇ: ଅଭିନେତା ଶିଳ୍ପା ଶେଟ୍ଟୀ ‘ମିଥ୍ୟା ରିପୋର୍ଟିଂ ଏବଂ ତାଙ୍କ ଭାବମୂର୍ତ୍ତିକୁ ବଦନାମ କରିବା’ ଅଭିଯୋଗରେ ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ମିଡିଆ ହାଉସ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି। ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଜଡ଼ିତ ପର୍ଣ୍ଣୋଗ୍ରାଫି ମାମଲାରେ ହେଉଥିବା ରିପୋର୍ଟିଂ ବାବଦରେ ଶିଳ୍ପା ଅଭିଯୋଗ ଆଣିଛନ୍ତି। କାଲି ଏହି ମାମଲାର ଶୁଣାଣି ହେବ। ଅଶ୍ଳୀଳ ଚଳଚିତ୍ର ପ୍ରସ୍ତୁତ କରିବା ଏବଂ ପ୍ରକାଶନ ସହ ଜଡିତ ଥିବା ଅଭିଯୋଗରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା। ମୁମ୍ବାଇର ଏକ କୋର୍ଟ କୁନ୍ଦ୍ରାଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଥିଲେ। ସୂଚନା ମୂତାବକ, ସେବି ଇନସାଇଡର୍ ଟ୍ରେଡିଂ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଅଭିନେତା ଶିଳ୍ପା ଶେଟ୍ଟୀ, ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହା ପୂର୍ବରୁ ସୂଚନା ଦେଇ କହିଥିଲେ ଯେ, ଶିଳ୍ପା ସେଟ୍ଟୀଙ୍କୁ ଏହି ମାମଲାରେ କ୍ଲିନ୍ଚିଟ୍ ଦିଆଯାଇନାହିଁ ଏବଂ ଫୋରେନସିକ୍ ଅଡିଟର ସମ୍ପୃକ୍ତ ସମସ୍ତ ଟ୍ରାନଜାକ୍ସନ ଉପରେ ନଜର ରଖିବେ।