ଦେବଗଡ଼,୧୯/୬,ଏନ୍ଏନ୍ଏସ୍, ସନ୍ତାନ ନହେବାରୁ ସ୍ୱାମୀ ନିଜର ସ୍ତ୍ରୀକୁ ନିର୍ଯାତନା ଦେବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅଧାରରେ ବାରକୋଟ ପୁଲିସ ସ୍ୱାମୀ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ବାରକୋଟ ଥାନା ଗୌଡ଼ ସୁଗୁଡ଼ା ଗ୍ରାମର ଟଙ୍କଧର ନାଏକଙ୍କ ପୁଅ ସୁରେନ ନାଏକ ୫ ବର୍ଷ ପୂର୍ବେ ରିଆମାଳ ଥାନା କେନ୍ଦୁଘାଟ ଗ୍ରାମର ଭାଗ୍ୟ ଗୁମାନସିଂଙ୍କ ଝିଅ ସୀତା ନାଏକଙ୍କୁ ବିବାହ କରିଥିଲେ। ମାତ୍ର ସେମାନଙ୍କର କୌଣସି ପିଲା ନହେବାରୁ ସ୍ତ୍ରୀ ସୀତାକୁ ସୁରେନ ମାଡ଼ପିଟ କରିବାସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଅନେକବାର ତାଙ୍କୁ ମାଡ଼ମାରିବା ସହ ଘରୁ ବାହାର କରିଦେଉଥିଲେ। ସ୍ୱାମୀଙ୍କ ନିର୍ଯାତନା ସହିନପାରି କେନ୍ଦୁଘାଟ ଗ୍ରାମସ୍ଥିତ ସୀତା ଏକାଧିକ ବାର ନିଜ ବାପଘରକୁ ଚାଲିଯାଉଥିଲେ ହେଁ ବାପଘର ଲୋକଙ୍କ ପରାମର୍ଶ କ୍ରମେ ସେ ପୁଣି ନିଜ ଗାଁକୁ ଫେରିଆସନ୍ତି। ଏ ଘଟଣାକୁ ନେଇ ଗାଁରେ ବୈଠକ ବସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥାଏ। ଗତ ୫ ତାରିଖ ଦିନ ସୀତାଙ୍କ ବାପା ଭାଗ୍ୟ ଗୁମାନ ସିଂ ତାକୁ ସୀତାଙ୍କୁ ଡାକିବା ପାଇଁ ଆସିଥିବା ବେଳେ ସ୍ୱାମୀ ସୁରେନ ବାପାଙ୍କ ଉପସ୍ଥିତିରେ ତାଙ୍କୁ ନିସ୍ତୁକ ମାଡ଼ ମାରିବାସହ ତାଙ୍କର ଚରିତ୍ର ଉପରେ ଆକ୍ଷେପ କରିଥିଲା। ଏପରିକି ସୀତାଙ୍କ ପିତା ଭାଗ୍ୟଙ୍କୁ ମଧ୍ୟ ମାଡ଼ ବାରିବା ସହ ଧକ୍କା ମାରି ଘରୁ ବାହାର କରିଦେଇଥିଲେ। ଫଳରେ ସୀତା ଉକ୍ତଦିନ ନିକଟରେ ଥିବା କକା ଶ୍ୱଶୁର ବିନୋଦ ନାଏକଙ୍କ ଘରେ ଆଶ୍ରୟ ନେଇଥିଲେ। ଗତ ୭ ତାରିଖ ଦିନ ଘଟଣାର ସମାଧାନ ନିମନ୍ତେ ସିତାଙ୍କ ଆହ୍ୱାନ କ୍ରମେ ଗାଁର ଭଦ୍ର ବ୍ୟକ୍ତିଙ୍କର ଏକ ବୈଠକ ବସିଥିଲା। ମାତ୍ର ଉକ୍ତ ବୈଠକରେ ସୁରେନ ସୀତାଙ୍କୁ ରଖିବା ପାଇଁ ରୋକଠୋକ୍ ମନା କରିବାସହ ଅନ୍ୟତ୍ର ଘର କରି ରହିବାକୁ ପରାମର୍ଶ ଦେଇଥିଲା। ଫଳରେ ଉକ୍ତ ବୈଠକରେ ଯୋଗଦେଇଥିବା ଭଦ୍ର ବ୍ୟକ୍ତିମାନେ ଥାନାର ଦ୍ୱାରସ୍ତ ହେବାପାଇଁ ସୀତାଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଗତ ୧୫ ତାରିଖ ଅପରାହ୍ଣ ୪ଟା ସମୟରେ ସ୍ୱାମୀ ସୁରେନ ତାଙ୍କୁ ନିସ୍ତୁକ ମାଡ଼ ମାରି ଘରୁ ତଡ଼ିଦେଇଥିଲା। ଫଳରେ ସୀତା ବାପଘର ଲୋକଙ୍କୁ ଖବର ଦେବାରୁ ବାପଘର ଲୋକେ ଗତକାଲି ସେଠାକୁ ଆସି ତାଙ୍କୁ ଘରକୁ ନେଇଥିଲେ। ବାପଘର ଲୋକଙ୍କ ସହ ବିଚାର ବିମର୍ଶ କରିବା ପରେ ସୀତା ଆଜି ବାରକୋଟ ଥାନାକୁ ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲିସ ଅଭିଯୁକ୍ତ ସ୍ୱାମୀ ସୁରେନ ବିରୋଧରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।