ଫୁଲବାଣୀ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲାର ଜଣେ ବରିଷ୍ଠ ସ୍ୱେଚ୍ଛାସେବୀ ଜମଜ ପରିଛାଙ୍କର ଆଜି ବିୟୋଗ ଘଟିଥିବା ବେଳେ ଏହାକୁନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମ୍ୟ ପ୍ରଗତି ଅନୁଷ୍ଠାନର ସଂପାଦକ ସ୍ୱର୍ଗତ ପରିଛା ଗତ ୩୦ ତାରିଖ ଦିନ ସନ୍ଧ୍ୟାରେ ନିଜର ମଟର ସାଇକେଲରେ ରାଇକିଆରୁ ବାଲିଗୁଡ଼ା ନିଜ ଘରକୁ ଫେରୁଥିବା ବେଳେ କ.ନୂଆଗାଁ ଠାରେ ଏକ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ସେ ଗୁରୁୂତ୍ୱର ହୋଇ ପଡ଼ିଥିବା ବେଳେ ତାଙ୍କୁ ପ୍ରଥମ କ.ନୂଆଗାଁ ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ହସପିଟାକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କର ମସ୍ତିଷ୍କରେ ମାଡ଼ ହୋଇଥିବା ଯୋଗୁଁ ୩୧ ତାରିଖ ଦିନ ତାଙ୍କର ଅପରେସନ କରାଯାଇଥିଲେ ମଧ୍ୟ ଆଜି ଦିନ ପ୍ରାୟ ୧୧ଟା ସମୟରେ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି।
ଅପରେସନ ପରେ ତାଙ୍କୁ ୭୨ ଘଂଟା ନିରିକ୍ଷଣ ପାଇଁ ରଖାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। ସ୍ୱର୍ଗତ ପରିଛାଙ୍କର ଗୋଟିଏ ପୁଅ ଓ ଝିଅ ଥିବା ବେଳେ ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ। ସେ ଜଣେ ଶାନ୍ତ ସରଳ, ଓ ଅମାୟିକ ବ୍ୟକ୍ତି ଥିଲେ। ଦୀର୍ଘ ୨୫ ବର୍ଷ ଧରି ବାଲିଗୁଡ଼ାରେ ଗ୍ରାମ୍ୟ ପ୍ରଗତି ନାମକେର ଏକ ସାମାଜିକ ଅନୁଷ୍ଠାନ କରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିଲେ। ସେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଜଣେ ବରିଷ୍ଠ ସଭ୍ୟ ଭାବେ ବେଶ୍ ପରିଚିିତ ଥିବା ବେଳେ ତାଙ୍କ ମୃତ୍ୟୁରେ ଆବାହକ ଅଶୋକ ପରିଡ଼ା , ସଭାପତି ତଥା ବନବାସୀ ଅନୁଷ୍ଠାନର ସହ ସଂପାଦକ ରବିନ୍ଦ୍ର କୁମାର ପଣ୍ଡା ,କୈଳାଶ ଦଣ୍ଡପାଟ, ଇ. ହରି ଶଙ୍କର ରାଉତ, ଅଶୋକ କୁମାର ପ୍ରଧାନ, ପ୍ରଦୀପ କୁମାର ଦାସ ଓ ଅନ୍ୟମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ପରିବାରକୁ ସମବେତନା ଜଣାଇଛନ୍ତି ଓ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।