କ୍ଷତିପୂରଣ ଓ ନିଯୁକ୍ତି ଦାବିରେ ଆମରଣ ଅନଶନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କ୍ଷତିପୁରଣ ଓ ନିଯୁକ୍ତିଦାବିରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଟିଙ୍ଗସମାଲ ଗ୍ରାମର ନୀଳମଣି ଭଦ୍ରିଆ(୨୭) ନିଜ ଜମି ଉପରେ ଆମରଣ ଅନଶନରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କୋଇଲା ଖନନ ପାଇଁ ଲଖନପୁର ଖୋଲାମୁହଁ ଖଣି ତାଙ୍କ ପୈତୃକ ସମ୍ପତ୍ତି। ଟିଙ୍ଗିସମାଲ ମୌଜାର ଖାତା ନମ୍ବର ୬୪ରୁ ୩ଏକର ୧୨ଡିସମିଲରୁ କୋଇଲା ଖନନ ପାଇଁ ଏମସିଏଲ୍ ଜମି ଅଧିଗ୍ରହଣ କରିଛି। କୌଣସି କ୍ଷତିପୂରଣ ଓ ନିଯୁକ୍ତି ପ୍ରଦାନ ନକରି ଜମି ଅଧିଗ୍ରହଣ କରାଯାଉଛି। ଏହାକୁ ବିରୋଧ କରିବାରୁ ଏମସିଏଲ ଅଧିକାରୀମାନେ ଗାଳିଗୁଲଜ କରିବା ସହ ମାରପିଟ କରୁଛନ୍ତି।

ଏ ବିଷୟରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ନୀଳମଣି ଅଭିଯୋଗ କରିଛନ୍ତି। ତେଣୁ ସେ ବାଧ୍ୟ ହୋଇ ଜମି ଉପରେ ଆମରଣ ଅନଶନରେ ବସିଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହାସହ କ୍ଷତିପୂରଣ ତଥା ନିଯୁକ୍ତି ନ ମିଳିବା ଯାଏଁ ସେ ତାଙ୍କର ଜମି ହସ୍ତାନ୍ତର କରିବେ ନାହିଁ ଏବଂ ଆମରଣ ଅନଶନ ଜାରି ରଖିବେ ବୋଲି କହିଛନ୍ତି।

ଅନଶନସ୍ଥଳକୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ଏମସିଏଲର କର୍ତ୍ତୃପକ୍ଷ ଓ ଲଖନପୁର ପୁଲିସ ପହଞ୍ଚି ନୀଳମଣିକୁ ଅନଶନରୁ ଓହରିବା ପାଇଁ ବୁଝାସୁଝା କରିଥିଲେ ହେଁ ନିଯୁକ୍ତି ଓ କ୍ଷତିପୂରଣ ନମିଳିବା ଯାଏଁ ଅନଶନ ଜାରି ରହିବ ବୋଲି ସେ କହିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ନୀଳମଣିଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ତଥା ତାଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଚିକିତ୍ସାଳୟକୁ ପଠାଯାଇଛି। ଅନ୍ୟପଟେ ଚିକିତ୍ସାଳୟରେ ମଧ୍ୟ ସେ ଅନଶନ ଜାରି ରଖିବେ ବୋଲି କହିଛନ୍ତି।