ଯୁବକର ମୃତଦେହ ଉଦ୍ଧାର

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ୧୧ନଂ ୱାର୍ଡ ଦୋଳମଣ୍ଡପ ସାହି ନ୍ୟୁ କୋଲୋନୀ ବସ୍ତିର ଏକ ନିଛାଟିଆ ସ୍ଥାନରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ମହୁଲଢ଼ିପା ସାହିର ୨୭ ବର୍ଷୀୟ ଜଗନ୍ନାଥ ନାୟକ । ଘଟଣାସ୍ଥଳରେ ଯୁବକଙ୍କ ପାଖରୁ ଏକ ମଦ ପାଉଚ ପଡ଼ିଥିବା ଦେଖିବାକୁ ମିଳିଛି । ଅତ୍ୟଧିକ ମଦ୍ୟପାନ ଯୋଗୁ ଯୁବକଙ୍କ ମୃତ୍ୟୁ ହୋଇଥିବା ବସ୍ତିବାସିନ୍ଦା ଆଶଙ୍କା କରୁଛନ୍ତି । ଯୁବକ ଜଣକ ଗତକାଲି ସକାଳୁ ଘରୁ ବାହାରି ଆଉ ଫେରିନଥିବା ମୃତକଙ୍କ ମା’ ପ୍ରକାଶ କରିଛନ୍ତି ।

ମିଳିଥିବା ରିପୋର୍ଟ ମୁତାବକ, ଜଗନ୍ନାଥ ପ୍ରତିଦିନ ମଦ ପିଇ ଘରୁ କୁଆଡ଼େ ଚାଲି ଯାଇ ରାତିରେ ଘରକୁ ଫେରିଆସେ କିନ୍ତୁ ଗତକାଲି ନ ଫେରିବାରୁ ତାଙ୍କ ମା’ ଖୋଜାଖୋଜି କରିଥିଲେ । ତେବେ ଆଜି ସକାଳୁ କିଛି ଲୋକ ସେହି ବାଟ ଦେଇ ଶୌଚ ପାଇଁ ଯିବାବେଳେ ଏକ ମୃତଦେହ ପଡ଼ିଥିବା ସବୁଆଡ଼େ ପ୍ରଚାର ହେଲା ପରେ ଜଗନ୍ନାଥଙ୍କ ମା’ ଖବର ପାଇ ଘଟଣାସ୍ଥଳକୁ ଯାଇ ପୁଅ ବୋଲି ଚିହ୍ନଟ କରିଥିଲେ । ଘଟଣାସ୍ଥଳରେ ଦେବଗଡ଼ ଥାନା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।