ପିପିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଶିକ୍ଷୟିତ୍ରୀ ମୃତ

ପିପିଲି,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶନିବାର ସକାଳେ ଦାଣ୍ଡମୁକୁନ୍ଦପୁରର ପୀତବାସ ୟୁଜି ଏମ୍ଇ ସ୍କୁଲରେ କାର୍ଯ୍ୟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡ଼ା(୩୨) ପ୍ରତିଦିନ ଭଳି ଶନିବାର ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ।

ସକାଳ ପାଖାପାଖି ୭ଟା ବେଳେ ସେ ଦୁହେଁ ପୀତବାସ ୟୁଜି ଏମ୍ଇ ସ୍କୁଲଠାରୁ ମାତ୍ର  ଏକ କିଲୋମିଟର ଦୂରରେ ଯାଉଥିବା ବେଳେ ସାମ୍ନା ପଟୁ ଏକ ଡାଲା ଅଟୋ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶୁଭଲକ୍ଷ୍ମୀ ପରିଡ଼ାଙ୍କର ପ୍ରାଣହାନି ଘଟିଥିଲା। ତେବେ ସେମାନେ ଦୁହେଁ ସମ୍ପର୍କରେ ମାଉସୀ- ଝିଆରୀ ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ଏହା ଦେଖି ଗୁରୁତର ଆହତ ସ୍ନେହଲତାଙ୍କୁ ଭୁବନେଶ୍ବରର କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ସ୍ନେହଲତା ସାହୁଙ୍କ ଘର ପିପିଲିର ନୀଳକଣ୍ଠନଗରରେ ଏବଂ ଶୁଭଲକ୍ଷ୍ମୀ ପରିଡ଼ାଙ୍କ ଘର ପିପିଲିର ବ୍ଲକ୍‌ ଛକ ନିକଟରେ ବୋଲି ଜଣାଯାଇଛି।

ଅପରପକ୍ଷରେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ହାତୀ ନାଆଁରେ ଜଣାଶୁଣା ଜନୈକ କନଷ୍ଟେବଳ କାବୁ କରିଥିଲେ। ଗାଡ଼ି ଚାଳକଙ୍କୁ ପୁଲିସ୍‌ ପିପିଲି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।