ବିମାନ ବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବିମାନ ବନ୍ଦରର ଟର୍ମିନାଲ- ୧ ଏବଂ ଟର୍ମିନାଲ- ୨ ମଧ୍ୟରେ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିବା ଛାତ ଭୁଶୁଡ଼ି ପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ବଡ଼ମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ଏବଂ ଗୁରୁତର ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ନବକିଶୋର ସ୍ୱାଇଁ।

ସୂଚନା ଅନୁସାରେ ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ  ବନ୍ଦର ପରିସରରେ ଏକ ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡିଥିଲା। ଟର୍ମିନାଲ- ୧ ଓ ଟର୍ମିନାଲ- ୨ରେ ଏହି ନିର୍ମାଣକାର୍ଯ୍ୟ ଗତ ୩୩ ମାସ ହେବ ଆରମ୍ଭ ହୋଇଥିଲା। ୬୦ କୋଟି ଟଙ୍କା ବ୍ୟୟରେ ଏହି ନିର୍ମାଣ କରାଯାଉଥିଲା। ଦିଲ୍ଲୀପ କନଷ୍ଟ୍ରକ୍‌ସନ ନାମକ ଏକ ସଂସ୍ଥା ଏହି କାର୍ଯ୍ୟ କରୁଥିଲା। କାମ ଚାଲିଥିବା ସମୟରେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା। ଏହା ପରେ ବିମାନ ବନ୍ଦର ପରିସରରେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ କର୍ମଚାରୀ ପହଞ୍ଚିଥିଲେ।

ପ୍ରଥମେ ନବକିଶୋର ସ୍ୱାଇଁଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅନ୍ୟ ଜଣେ ଶ୍ରମିକ ଛାତ ତଳେ ଚାପି ହୋଇ ରହିଯାଇଥିଲେ। ଏହାପରେ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଟିମ୍ ଲୁହା ରଡ୍‌କୁ କାଟି ଛାତ ତଳୁ ଅନ୍ତର୍ଯ୍ୟାମୀ ଗୁରୁଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିମାନ ବନ୍ଦରରେ ଛାତ ଭୁଶୁଡ଼ିବା ସୂଚନା ପାଇ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଗୁରୁତର  ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଥିଲେ। ଅପର ପକ୍ଷରେ ଏହି ଘଟଣାରେ ଭୁବନେଶ୍ୱର ଡିସିପି ଉକ୍ତ ଠିକାଦାର ସଂସ୍ଥାର ମୁଖ୍ୟ ଦିଲ୍ଲୀପ ଖଟେଇକୁ ଥାନାରେ ଅଟକ ରଖିଥିବା ଜଣାଯାଇଛି।