ଦେଓଧର ଜଳପ୍ରପାତରୁ ମୃତଦେହ ଉଦ୍ଧାର, ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା ସନ୍ଦେହ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଦେଓଧର ଜଳପ୍ରପାତରୁ ଗତକାଲି ରାତ୍ରିରେ ପୁଲିସ ଏକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ତେବେ ପୂର୍ବ ଶତୃତାକୁ ନେଇ ଏ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଆଜି ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମର ପ୍ରସନ୍ନ କୁମାର ସାହୁ(୫୦) ଜନୈକ ରୋଗରେ ପୀଡ଼ିତ ଥିଲେ। ତେବେ ସେ ଗତ ୧୭ ତାରିଖ ଦିନ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ଖଳିନାଳି ଗ୍ରାମର ଅକ୍ଷୟ କଣ୍ଟିଆଲ ନାମକ ଜଣେ କବିରାଜଙ୍କ ପାଖକୁ ଯାଇଥିଲେ। ଚିକିତ୍ସା ପରେ ପ୍ରସନ୍ନ ସନ୍ଧ୍ୟାରେ ଘରକୁ ଶେଷଥର ପାଇଁ ଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। ପରେ ଫୋନଟି ବନ୍ଦ ହୋଇଯାଇଥିଲା।

ପ୍ରସନ୍ନ ଉକ୍ତ ଦିନରେ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଜମନକିରା ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ପରେ ଦେଓଧର ଜଳପ୍ରପାତ ମଧ୍ୟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚି ମୃତ ଦେହଟି ପ୍ରସନ୍ନଙ୍କର ବୋଲି ଚିହ୍ନଟ କରିଥିଲେ। ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବା ପରେ ଦେବଗଡ଼ ପୁଲିସ ଘଟଣାସ୍ଥଳକୁ ଯାଇ ଅଗ୍ନିଶମ ବାହିନୀଙ୍କ ସହାୟତରେ ମୃତ ଦେହ ଉଦ୍ଧାର କରିଥିଲେ।

ତେବେ କବିରାଜ ଅକ୍ଷୟଙ୍କୁ ଢାଲ କରି ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରାଯାଇଥିବା ବୋହୁ ଲିଲି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ସମୟରେ କବିରାଜ ଅକ୍ଷୟ କଣ୍ଟିଆଲ ପ୍ରସନ୍ନଙ୍କୁ ଚିକିତ୍ସା ସହ ଔଷଧ ଦେବା ପରେ କବିରାଜଙ୍କ ସାନ ପୁଅ ସୁଶାନ୍ତ କଣ୍ଟିଆଲ(୨୦)ଙ୍କ ସହ ପ୍ରସନ୍ନ ନିଜ ଘରକୁ ଫେରିଥିବା କବିରାଜ ଅକ୍ଷୟ ପ୍ରକାଶ କରିଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ କୌଣସି ଖୋଜ ଖବର ମିଳିପାରି ନାହିଁ। ସେହିପରି ଆଜି ମୃତକଙ୍କ ବୋହୁ ମିଲି ସାହୁ ଦେବଗଡ଼ ଥାନାକୁ ଆସି ତାଙ୍କ ଶ୍ୱଶୁର ମୃତ ପ୍ରସନ୍ନଙ୍କ ପୁଅ ନାରାୟଣ ସାହୁ(ମିଲିଙ୍କ ସ୍ୱାମୀ)ଙ୍କୁ ରେଙ୍ଗାଲବେଡା ଗ୍ରାମର କେତେକ ବ୍ୟକ୍ତି ମୁକ୍ତେଶ୍ୱର ମନ୍ଦିର ନିକଟରେ ହତ୍ୟା କରିଥିବା ନେଇ ଗତ ଡିସେମ୍ବର ମାସରେ ଜମନକିରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୁଲିସ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସେହିଦିନ ଠାରୁ ପ୍ରସନ୍ନଙ୍କ ସହ ଉକ୍ତ ଅଭିଯୁକ୍ତମାନଙ୍କ ଶତୃତା ଆରମ୍ଭ ହୋଇଥିଲା। ଏପରିକି ପ୍ରସନ୍ନଙ୍କ ହତ୍ୟା କାଣ୍ଡର ୨ ଦିନ ପୂର୍ବରୁ ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଆସିଥିବା ଲିଲି ଅଭିଯୋଗ କରିଥିଲେ।