‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କଲେ ମୋଦୀ, ୨୫ ହଜାର ଶ୍ରମିକଙ୍କୁ ମିଳିବ ୧୨୫ ଦିନର କାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ ବିହାରର ଖଗଡ଼ିଆ ଜିଲ୍ଲାରୁ କରିଛନ୍ତି। ଏହି ଅଭିଯାନ ଦେଶର ୬ଟି ରାଜ୍ୟ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଓ ଓଡ଼ିଶାର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଓଡ଼ିଶାର ୪ଟି ଜିଲ୍ଲା ଗଞ୍ଜାମ, ବାଲେଶ୍ୱର, ଭଦ୍ରକ ବଲାଙ୍ଗିରକୁ ଏଥିରେ ସାମିଲ କରାଯାଇଛି। ଏହି ଯୋଜନାକୁ ରାଜ୍ୟର ସେହି ଜିଲ୍ଲାରେ ଲାଗୁ କରାଯାଇଛି ଯେଉଁଠି ଲକଡାଉନ ସମୟରେ ୨୫ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କ ଫେରିଛନ୍ତି। ଉକ୍ତ ଯୋଜନା ଅନ୍ତର୍ଗତ ଶ୍ରମିକଙ୍କୁ ୧୨୫ ଦିନ କାମ ମିଳିବ। ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ପାଇଁ ସରକାରଙ୍କ ପକ୍ଷରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଲଦାଖରେ ସହିଦ ହୋଇଥିବା ଯବାନଙ୍କ ବୀରତ୍ୱର ଚର୍ଚ୍ଚା କରି କହିଥିଲେ କି, ‘ଲଦାଖରେ ଆମ ଯବାନମାନେ ଯେଉଁ ବଳିଦାନ ଦେଇଛନ୍ତି, ମୁଁ ଗର୍ବ ସହକାରେ କହିପାରିବି କି ଏହି ବୀରତ୍ୱ ବିହାର ରେଜିମେଣ୍ଟର। ପ୍ରତ୍ୟେକ ବିହାରୀ ଏହାକୁ ନେଇ ଗର୍ବିତ। ଯେଉଁ ସୈନିକମାନେ ବଳିଦାନ ଦେଇଛନ୍ତି ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି।’

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ରିମୋଟ ଯୋଗେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପୂର୍ବରୁ ସେ ଅନେକ ଲୋକଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ କାମ ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ପଚାରିବା ସହ ଯଥାସମ୍ଭବ ସାହଯ୍ୟ କରିବାର ଆଶ୍ୱାସନା ଦେଇଥିଲେ।