ବ୍ରାହ୍ମଣୀ ଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବାଡ଼ା ସୁରୁ ଜଙ୍ଗଲରୁ ଗତ ୩ ତାରିଖ ଦିନ ଏକ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ବ୍ରାହ୍ମଣୀ ଗାଁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ଘଟଣାକୁ ୧୨ ଦିନ ବିତିଯାଇଥିଲେ ବି ପ୍ରକୃତ ସତ୍ୟତା ସାମ୍ନାକୁ ଆସିନାହିଁ। ଏହାକୁ କେନ୍ଦ୍ରକରି ଗତ ୬ ତାରିଖରେ ଝିଞ୍ଜିରିଗୁଡ଼ା ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ମହିଳା ସଂଗଠନ, ଗ୍ରାମ୍ୟ ଭଦ୍ର ଓ ବୁଦ୍ଧିଜୀବୀଙ୍କୁ ନେଇ କିରାମହା ଚର୍ଚ୍ଚ ପରିସରରେ ଏକ ବୈଠକ କରି ଉକ୍ତ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ସମୟରେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଣୁ ୧୫ ତାରିଖ ପର୍ଯ୍ୟନ୍ତ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।
ଆଜି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଆରନ ନାୟକ ଓ ପୂର୍ବତନ ସରପଞ୍ଚ ଦିବ୍ୟସିଂହ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଥାନାକୁ ଆସି ତଦନ୍ତକାରୀ ଅଧିକାରୀ ଦୀପକ ସାମନ୍ତ ସିଂହାରଙ୍କୁ ଉକ୍ତ ରିପୋର୍ଟ ମାଗିଥିଲେ। କିନ୍ତୁ ଆସନ୍ତା ୧୮ ତାରିଖ ସୁଦ୍ଧା ଉକ୍ତ ରିପୋର୍ଟ ମିଳିବ ବୋଲି କହିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା। ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ପୁଲିସ ଅଧିକାରୀ ଘଟଣାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି, ଯାହା ଅଞ୍ଚଳବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।
ପୁଲିସ ପ୍ରଶାସନର କହିବା ଅନୁଯାୟୀ ଆଗାମୀ ୧୮ ତାରିଖ ସୁଦ୍ଧା ସତ୍ୟାସତ୍ୟ ରିପୋର୍ଟ ନମିଳେ ତେବେ ୧୯ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏହାପରେ ସ୍ଥାନୀୟ ଶିବ ମନ୍ଦିର ପରିସରରେ ବ୍ରାହ୍ମଣୀଗାଁ, କୀନାରୀଗାଁ, କି.ନୁଆଁ ଗାଁ, ଗଡ଼ମା, କୁଟଲାରି ଗାଁ ଆଦି ଗ୍ରାମରୁ ଆସିଥିବା ମହିଳା ସଂଗଠନର ମା’ମାନେ ଏକ ବୈଠକ କରି ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି।