ବିଦ୍ୟୁତ ଆଘାତରେ ମୃତ୍ୟୁ: ରିପୋର୍ଟ ତଲବ କଲେ ଜାତୀୟ ମାନବାଧିକାର କମିଶନ

ଭବାନୀପାଟଣା,ଏନ୍ ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକ ଗାଁ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡ଼ିି ମୃତ୍ୟୁବରଣ କରିଥିଲେ । ଉକ୍ତ ଘଟଣାରେ ଜାତୀୟ ମାନବାଧିକାର କମିଶନ ବିଦ୍ୟୁତ ବିଭାଗର ପ୍ରମୁଖ ସଚିବ ଓଡ଼ିଶା, କଳାହାଣ୍ଡି ଜିଲ୍ଲାପାଳ ଓ ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି । ଘଟଣାଟି ୨୦୨୧ ଅକ୍ଟୋବର ୨୫ରେ ହୋଇଥିବାବେଳେ ୨୦ ନଭେମ୍ବର ୨୦୨୨ରେ ନୋଟିସ ଜାରି ହୋଇଛି । ଏଥିରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ ତାଗିଦ କରିଛନ୍ତି । ଭବାନୀପାଟଣାର ମାନବାଧିକାର ସୁରକ୍ଷା କର୍ମୀ ଦିଲ୍ଲୀପ କୁମାର ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି କମିଶନ ଏକ ମାମଲା ପଞ୍ଜିକରଣ କରି ଏହି ନୋଟିସ ଜାରି କରିଛନ୍ତି ।