ଶଗଡ଼ିଆ ନାଳରୁ ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାଣ୍ଡ ଘଟାଇଥିଲା ଭିଣୋଇ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସୁଗୁଡ଼ା ଗ୍ରାମ ନିକଟସ୍ଥ ଶଗଡ଼ିଆ ନାଳ ମଧ୍ୟରୁ ଗତ ୨୭ ତାରିଖ ଦିନ ଜଣେ ଯୁବକର ମୃତଦେହ ଉଦ୍ଧାର ଘଟଣାର ଆଜି ପର୍ଦ୍ଦାଫାଶ ହୋଇଛି। ଦେବଗଡ଼ ଥାନା ପୁଲିସ ମୃତ ଯୁବକର ଭିଣୋଇକୁ ହତ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ମନୋଜ କୁମାର ମାହାନ୍ତ ଏସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନାନୁଯାୟୀ, ଅନୁଗୁଳ ଥାନା ଅନ୍ତର୍ଗତ ଅଙ୍ଗପଡ଼ା ଗ୍ରାମର ବାବୁଲା ବେହେରାଙ୍କ ପୁଅ ସିପୁନ ବେହେରା (୨୨) ଗତ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ଥାନା ଅନ୍ତର୍ଗତ ଭେଲୁଆଟିକ୍ରା ଗ୍ରାମରେ ଥିବା ତାଙ୍କ ଭିଣୋଇ ରାଜୁ ନାୟକ (୨୮)ଙ୍କ ସହ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ଥିବା ରାଜୁଙ୍କ ମାମୁଁ ଘରକୁ ଏକ ବାଇକ ଯୋଗେ ଯାଉଥିବା କହି ନିଜ ଘରୁ ବାହାରିଥିଲେ। ତେବେ ଉକ୍ତ ଦିନଠୁ ସିପୁନ ନିଖୋଜ ଥିବାବେଳେ ଗତ ୨୭ ତାରିଖରେ ସିପୁନର ମୃତଦେହ ଶଗଡ଼ିଆ ନାଳରୁ ଉଦ୍ଧାର କରାଯାଇଥିଲା। ତାଙ୍କ ସାଥୀରେ ଆସିଥିବା ଭିଣୋଇ ରାଜୁଙ୍କୁ ସିପୁନ କୁଆଡ଼େ ରାସ୍ତାରେ ଓହ୍ଲାଇ ଚାଲିଯାଇଥିବା ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବୁଧବାର ଦିନ ହିଁ ସିପୁନ ବ୍ୟବହାର କରୁଥିବା ବାଇକକୁ ଉକ୍ତ ନାଳ ନିକଟସ୍ଥ ରସ୍ତାକଡ଼ରୁ ଭିଣୋଇ ରାଜୁ ଉଦ୍ଧାର କରିଥିଲେ ମଧ୍ୟ ଘଟଣା ସମ୍ପର୍କରେ କୌଣସିଠାରେ ଅଭିଯୋଗ କରିନଥିଲେ। ୨୭ ତାରିଖ ଦିନ ନାଳରେ ମୃତଦେହ ଭାସୁଥିବା ସୂଚନା ପାଇ ଏସଡିପିଓ ପ୍ରତୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସଆଇ କଳ୍ପନା ବେହେରା ଅନୁସନ୍ଧାନ ଆରମ୍ଭ କରିଥିଲେ। ତେବେ ଶବ ବ୍ୟବେଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବା ପରେ ଦେବଗଡ଼ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ରାଜୁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜାଣିବା ପରେ ତାଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲା। ପୁଲିସ ନିକଟରେ ରାଜୁ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଓ ଦେବଗଡ଼ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ଥିଲେ।