ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳ ଗଦାପୁର ପଂଚାୟତର ପୁଟୁଡୁମାହା ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଟୁଡୁମାହା ଗ୍ରାମରୁ ପ୍ରାୟ ଏକ କିମି ଦୂର ସମାଧି ସ୍ଥଳ ଜଙ୍ଗଲରୁ ମଙ୍ଗଳବାର ଦିନ ଦାରିଙ୍ଗବାଡ଼ି ଏକଜୁକୁଟିଭ ମାଜିଷ୍ଠ୍ରେଟ୍ ନିଳକନଠ ବେହେରାଙ୍କ ଉପସ୍ଥିତିରେ ବ୍ରାହ୍ମଣୀଗାଁ ପୋଲିସ୍ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଫ୍ରାନଚିସ୍ ମଲିକଙ୍କ ଦ୍ୱିତୀୟ ସ୍ତ୍ରୀ ସାରଦା ମଲିକ (୨୮) । ଫ୍ରାନଚିସଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ନିଜର କାମ ଧନ୍ଦା ପାଇଁ କେରଳ ଯାଇଥିଲେ ସେଠାରେ ଭୁଲ ନମ୍ବରେ କଥା ହୋଇ ନିଜର ସ୍ତ୍ରୀ ନଥିବାରୁ ତାଙ୍କୁ ସ୍ତ୍ରୀ ରୁପେ ଗ୍ରହଣ କରି ପ୍ରାୟ ପାଂଚମାସ ହେବ ନିଜଗ୍ରାମ ପୁଟୁଡୁମାହାରେ ରହୁଥିଲେ । ସେହିପରି ମୃତା ସାରଦା ତାଙ୍କ ପ୍ରଥମ ସ୍ୱାମୀ ଓ ତା ଔରସରୁ ଦୁଇଟି ଛୁଆଙ୍କୁ ଛାଡି ଫ୍ରାନଚିସଙ୍କ ସ୍ତ୍ରୀ ରୁପେ ରହିଆସୁଥିଲେ । ହେଲେ ଗତ ଶନିବାର ବାରଦିନ ଠାରୁ ମହିଳାଜଣଙ୍କ ଘରେ ଅନୁପସ୍ଥିତ ଥିବାରୁ ଫ୍ରାନଚିସ୍ ଗ୍ରାମବାସୀଙ୍କ ସହ ଯୋଗରେ ବହୁତ ଖୋଜା ଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ମିଳିନଥିଲା ।

ସୋମବାର ଦିନ ସେହିଗ୍ରାମର କିଛି ଲୋକ ବଗଡ ସଫା କରିବାକୁ ଯାଇଥିବା ସମୟରେ ହଠାତ୍ ଉକ୍ତ ମହିଳାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଉକ୍ତ ବିଷୟକୁ ଫ୍ରାନଚିସ , ସ୍ତ୍ରୀର ପରିବାର ଲୋକଙ୍କୁୁ ଜଣାଇଥିଲେ । ଖବର ପାଇ ମଙ୍ଗଳବାର ଦିନ ଉକ୍ତ ମହିଳାଙ୍କ ବଡଭାଇ ଉତମ ନାୟକ ଦାରିଙ୍ଗବାଡ଼ି ଥାନା ଅଂଚଳର ପାଙ୍ଗାରାହା ଗ୍ରାମରୁ ଆସି ଘଟଣାସ୍ଥଳରେ ପହଂଚିଥିଲେ । ପରେ ସେ ବ୍ରାହ୍ମଣୀଗାଁ ଥାନାକୁ ଯାଇ ସୂଚନା ଦେବାପରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଂଜିତ୍ କୁମାର ମୁନୀଙ୍କ ନିର୍ଦ୍ଧେଶରେ ଏସ୍.ଆଇ ସଂଗ୍ରାମ କେଶରୀ ଜେନା ,ଏଏସଆଇ ପ୍ରମୋଦ କୁମାର ଦୀପ୍ ଓ ଦାରିଙ୍ଗବାଡ଼ି ଏକଜୁକୁଟିଭ ମାଜିଷ୍ଠ୍ରେଟ୍ ନିଳକନଠ ବେହେରା ସଦଳବଳେ ଘଟଣାସ୍ଥଳରେ ପହଂଚି ଶବଜବତ କରିବା ସହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ବ୍ରାହ୍ମଣୀଗାଁ ମେଡିକାଲକୁ ଆଣିଥିଲେ ।

ପରେ ଡାକ୍ତର ପ୍ରମୋଦ କୁମାର ସେଠୀଙ୍କ ତତ୍ୱାବଧାନରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତ କରିଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି । ହେଲେ କେଉଁ କାରଣରୁ ଏପରି ଅଭାବନୀୟ ଘଟଣା ଘଟିଛି ତାହାର କାରଣ ଅସ୍ପଷ୍ଠ ଥିବାବେଳେ ଉକ୍ତ କେଶର ତଦନ୍ତ ଭାର ଏସ୍.ଆଇ ଶ୍ରୀ ଜେନା ନେଇଥିବା ବେଳେ ୟୁଡିରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଏଏସଆଇ ଶ୍ରୀ ଦୀପ୍ ସୂଚନା ପ୍ରଦାନ କରିଛନ୍ତି ।