ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଡିଏଭି ପବ୍ଲିକ ସ୍କୁଲ ବନ୍ଧବାହାଲରେ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀ ବିଜ୍ଞାନ ବିଭିଗରେ ଆଡମିସନରେ ବ୍ୟାପକ ଅନିୟମିୟତା ହେଉଥିବା ଅଭିଯୋଗ ହୋଇଛି। ଦଶମ ଶ୍ରେଣୀରେ ୮୦ ପ୍ରତିଶତ ନମ୍ବର ଥିବା ଜଣେ ଜାତୀୟ ଆଥଲେଟ ବାଳିକାଙ୍କୁ ଆଡମିସନ ପ୍ରଦାନ କରାଯାଇ ନଥିବାବେଳେ ୭୦ ପ୍ରତିଶତ ରଖିଥିବା ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅକୁ ଆଡମିସନ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବେଲପାହାଡ ମହୁଲପଡାର ନବୀନ କୁମାର ସିଂ। ସେ କହିଛନ୍ତି ଦଶମ ଶ୍ରେଣୀରେ ୮୦ ପ୍ରତିଶତ ରଖିଥିବା ତାଙ୍କ ଝିଅର ଆଡମିସନ ପାଇଁ ସେ ବନ୍ଧବାହଲ ଡିଏଭି ସ୍କୁଲରେ ଆବେଦନ କରିଥିଲେ। ହେଲେ ୮୬ ପ୍ରତିଶତରୁ କମ ମାର୍କ ଥିଲେ ବିଜ୍ଞାନ ବିଭାଗରେ ଆଡମିସନ ଦିଆଯାଇ ପାରିବ ନାହିଁ ଦର୍ଶାଇ ତାଙ୍କ ଝିଅକୁ ଆଡମିସନ ପ୍ରଦାନ କରାଯାଇ ନାହିଁ। ହେଲେ କିଛିଦିନ ପରେ ମାତ୍ର ୭୦ ପ୍ରତିଶତ ରଖିଥିବା ଜଣେ ପ୍ରଭାବଶାଳୀଙ୍କ ପୁଅଙ୍କୁ ଏଠାରେ ଆଡମିସନ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଆଡମିସନ ପ୍ରଦାନରେ ଏହିପରି ପାତରଅନ୍ତର ନୀତି ଡିଏଭି ବନ୍ଧବାହାଲ କାହିଁକି ଅବଳମ୍ବନ କରୁଛି ବୋଲି ଶ୍ରୀ ସିଂ କହିଛନ୍ତି। ଏନେଇ ଡିଏଭି ବନ୍ଧବାହାଲର ପ୍ରିନ୍ସିପାଲଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ସମ୍ଭବ ହୋଇ ନଥିଲା।