ଦଣ୍ଡନାଚ ପାଇଁ ଗାଇଡଲାଇନ ଜାରିକଲା ଜିଲ୍ଲା ପ୍ରଶାସନ : ମନୋରଞ୍ଜନ କାର୍ଯ୍ୟକ୍ରମ ମନା

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଯାଉଥିବା ଦଣ୍ଡନାଚ ପାଇଁ ଜିଲ୍ଲା ପ୍ରଶାସନ ଜାରି କରିଛି ଗାଇଡଲାଇନ। କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଥିବା ଦର୍ଶାଯାଇଛି। ଗତବର୍ଷ ଏହି ପାରମ୍ପାରିକ ପର୍ବକୁ ସଂପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଚଳିତବର୍ଷ କଟକଣା ଭିତରେ ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ନିର୍ଦ୍ଦେଶନାମା ଅନୁସାରେ ଦଣ୍ଡନାଚ କେବଳ ସଂପୃକ୍ତ ଗ୍ରାମ ଭିତରେ ଅନୁଷ୍ଠିତ ହେବ। କୌଣସି ଯାତ୍ରା, ଡିଜେ, ମେଳା, ରେକର୍ଡ ଡ୍ୟାନସ୍, ନାଟକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ପାରିବ ନାହିଁ। କେବଳ ୫୦ ଜଣ ଲୋକଙ୍କୁ ନେଇ ପୂଜା କରାଯିବ। ପୂଜା ସ୍ଥଳିରେ ସର୍ବାଧିକ ୧୦ ଜଣ ବ୍ୟକ୍ତି ରହିବା ସହ ସେଠାରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରାଯିବ ବୋଲ ଦର୍ଶାଯାଇଛି। ଦଣ୍ଡନାଚ ସ୍ଥାନରେ ସର୍ବସାଧାରଣଙ୍କୁ ଜମା ହେବାକୁ ଦିଆଯିବ ନାହିଁ। ଦଣ୍ଡୁଆ ମାନଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତା ମୂଳକ ବୋଲି ପ୍ରଶାସନ କହିଛି। ସାମୂହିକ ଭୋଜନକୁ ମଧ୍ୟ ବାରଣ କରାଯାଇଛି । ୬୫ ବର୍ଷରୁ ଅଧିକ ବୟସ୍କ ଏବଂ ଜଟିଳ ରୋଗ ଭୋଗୁଥିବା ବ୍ୟକ୍ତି , ୧୦ ବର୍ଷରୁ କମ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏଥିରେ ସାମିଲ ନହେବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ଦଣ୍ଡନାଚ ସମୟରେ କୀର୍ତ୍ତନ , ଭଜନ ଭଳି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ସେହିଭଳି ସମ୍ଭାବ୍ୟ ଅଂଶୁଘାତକୁ ନଜରରେ ରଖି ଦଣ୍ଡନାଚକୁ ଦିନ ୧୧ଟାରୁ ୩ଟା ମଧ୍ୟରେ କରିବା ପାଇଁ ମଧ୍ୟ ମନା କରାଯାଇଛି। ଉପଜିଲ୍ଲାପାଳମାନେ ଦଣ୍ଡନାଚ ସମୟରେ କୋଭିଡ ଗାଇଡ ଲାଇନର ପାଳନ ଉପରେ ନଜର ରଖିବା ସହିତ ତହସିଲଦାର ଓ ପୌରପାଳିକା ନିର୍ବାହି ଅଧିକାରୀଙ୍କ ମାଧ୍ୟମରେ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।