ଲକଡାଉନରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଦୁଗ୍ଧ ଚାଷୀ: ରାଜରାସ୍ତାରେ ଦୁଗ୍ଧ ଢ଼ାଳି ପ୍ରତିବାଦ

ବରଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ରୋକିବା ପାଇଁ ଗତ କିଛି ମାସ ହେବ ରାଜ୍ୟରେ ଲକଡାଉନ ଲାଗିରହିଛି। ଫଳରେ ବିଭିନ୍ନ ବର୍ଗର ଲୋକ ନିଜର ବେଉସା ହରାଇଥିବା ବେଳେ ଏଥିରେ ଅନେକ ପ୍ରଭାବିତ ହୋଇଛନ୍ତି। ଲକଡାଉନ ଯୋଗୁଁ ବରଗଡ଼ ଜିଲ୍ଲାରେ ଦୁଗ୍ଧ ଚାଷୀ ଅଭାବୀ ବିକ୍ରିର ଶିକାର ହେବା ସହ ବହୁ କ୍ଷତି ସହୁଛନ୍ତି। ଯାହାକୁ ନେଇ ଆଜି ଚାଷୀମାନେ ବରଗଡ଼ ସଦର ବ୍ଲକ୍ କଲାପାଣି ଛକର ରାଜରାସ୍ତାରେ ଦୁଗ୍ଧ ଢାଳି ପ୍ରତିବାଦ କରିଛନ୍ତି।

ଲକଡାଉନ ଯୋଗୁଁ ସମବାୟ ସମିତିଗୁଡ଼ିକ ଚାଷୀମାନଙ୍କଠାରୁ ଦୁଗ୍ଧ କିଣିବା ବନ୍ଦ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ଉତ୍ପାଦିତ ଦୁଗ୍ଧ ନଷ୍ଟ ହେବା ସହ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି। ଯାହାକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କଲାପାଣି ସୋସାଇଟି ଅଧୀନରେ ପ୍ରାୟ ୩ ଶହ ଦୁଗ୍ଧ ଚାଷୀ ରହିଛନ୍ତି। ଲକଡାଉନ ଯୋଗୁଁ ସୋସାଇଟି ତରଫରୁ ମଧ୍ୟ ଚାଷୀମାନଙ୍କଠାରୁ ଦୁଗ୍ଧ ନିଆଯାଉନାହିଁ। ଫଳରେ ଦୈନିକ ପ୍ରାୟ ୫୦୦ରୁ ୬୦୦ ଲିଟର ଦୁଗ୍ଧ ନଷ୍ଟ ହେଉଛି।

ଏଥିସହିତ ସମଗ୍ର ଜିଲ୍ଲାରେ ଏପରି ପରିସ୍ଥିତି ଉପୁଜିଥିବା ଚାଷୀମାନେ କହିଛନ୍ତି। ଏହି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଦୁଗ୍ଧ ଚାଷୀ ଆହୁରି କ୍ଷତିର ସମ୍ମୁଖୀନ ହେବେ। ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଉଥିବାବେଳେ ଦୁଗ୍ଧ ବ୍ୟବସାୟ ପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ପ୍ରଶାସନ ତୁରନ୍ତ ଦୁଗ୍ଧ ଚାଷୀଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାବାସୀ ଦାବି କରିଛନ୍ତି।