କରୋନା କାୟା ଭିତରେ ଅଜଣା ଜ୍ୱର ଆତଙ୍କ; ସ୍ଥିତି ପରଖିବା ପାଇଁ ଗାଁରେ ପହଞ୍ଚିଲେ ଡାକ୍ତରୀ ଟିମ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଗୋଟିଏ ପଟେ କରୋନା ଓ ଅନ୍ୟପଟେ ଅଜଣା ଜ୍ୱର ଆତଙ୍କ ଦେଖାଦେଇଛି। ଚଳିତ ବର୍ଷ ବର୍ଷା ଆରମ୍ଭରୁ ରାୟଗଡ଼ା ଜିଲ୍ଲାରେ ଏହି ଅଜଣା ଜ୍ୱର ମାତିଛି। ମୁନିଗୁଡାର ଟିକରପଡ଼ା, ରାୟଗଡା ସଦର ବ୍ଲକ ଅନ୍ତର୍ଗତ ବାରିଝୋଲା ଓ କୋଲନରା ବ୍ଲକରେ ଏହି ଅଜଣା ଜ୍ୱର ବ୍ୟାପୁଥିବା ବେଳେ ବର୍ତ୍ତମାନ ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ କେରେଡ଼ା ପଞ୍ଚାୟତର ସୁଲୱା, ଚୀନାପେଡୁମ ଓ ତୁଳସି ୱାଲସା ଗ୍ରାମରେ ଏହା ଦେଖାଦେଇଛି। ଏହିସବୁ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହୋଇସାରିଥିବା ବେଳେ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ୪ ଜଣିଆ ଟିମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ୧୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି।

ଗତ ୨ ବର୍ଷ ପୂର୍ବେ ଜିଲ୍ଲାରେ ଏହି ଜ୍ୱର ଦେଖାଦେଇଥିବା ବେଳେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ପୁଣି ଥରେ ଏହି ଜ୍ୱର ଫେରିଛି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ସାଙ୍ଗକୁ ଆଣ୍ଠୁ ଗଣ୍ଠି ଫୁଲା, ମୁଣ୍ଡ ବିନ୍ଧା, ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। କରୋନା କଟକଣା ଯୋଗୁଁ ଆକ୍ରାନ୍ତମାନେ କେରେଡ଼ା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ସ୍ୱାସ୍ଥ୍ୟ ସୁବିଧା ପାଇପାରୁନାହାନ୍ତି। ସେହିପରି ଘରୋଇ କ୍ଲିନିକ ଗୁଡିକରେ ଥଣ୍ଡା କାଶ ଜନିତ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଔଷଧ ପ୍ରଦାନ ସକାଶେ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଥିବାରୁ ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇବାରୁ ଉପେକ୍ଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଥିବାବେଳେ ଆଜଣା ଜ୍ୱର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ମେ’ ମାସରେ ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଟିକରପାଡାଠାରେ ଡ଼େଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କିଛି ଲୋକ ମୃତ୍ୟୁ ମୁଖରେ ପଡିଥିଲେ। ସେହିଭଳି ମେ’ ମାସ ଶେଷ ବେଳକୁ ରାୟଗଡ଼ା ସଦର ବ୍ଲକ୍ ଅଧୀନ ବାରିଝୋଲା ଗ୍ରାମରେ ଏଭଳି ଅଜଣା ରୋଗ ଶିକାର ହୋଇଥିଲେ ୭୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ। କେବଳ ସେତିକି ନୁହେଁ ଚଳିତ ମାସ କୋଲନରା ବ୍ଲକ ସଦର ଆଦିବାସୀ ସାହି ଓ ବ୍ରହ୍ମଣ ସାହିର ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗାଁରେ ପହଞ୍ଚିଛି।

ବାରମ୍ବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ଅଜଣା ରୋଗ ଲୋକଙ୍କ ପିଛା ଛାଡୁନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଶୋଇ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଡ. ବିଏଲଏନ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପ୍ରତି ଗାଁରେ ଆଶା କର୍ମୀଙ୍କ ମାଧ୍ୟମରେ ଘରେଘରେ ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ସଂଗ୍ରହ କରାଯାଉଛି। କୌଣସି ରୋଗ ଦେଖାଦେଲେ ସେମାନଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଉକ୍ତ ଗ୍ରାମରେ ଏଭଳି ରୋଗ ଦେଖାଦେବା ପରେ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଟିମ ଗାଁକୁ ଯାଇ ଚିକିତ୍ସା ଆରମ୍ଭ କରିଥିବା ଶ୍ରୀ ପୃଷ୍ଟି ସୂଚନା ଦେଇଛନ୍ତି।