ଦେଶରେ ୨ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ, ପ୍ରାଣ ହରାଇଲେ ଆଉ ୧୦୩୮

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ଦିନକୁ ଦିନ ଅଧିକ ଘାତକ ହେବାରେ ଲାଗିଛି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଗୁରୁବାର ସୁଦ୍ଧା ଏହା ୨ ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୩୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ଆଉ ୧୦୩୮ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।

ଗୁରୁବାର ତଥ୍ୟକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪କୁ ବୃଦ୍ଧି ପାଇଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ରେ ପହଞ୍ଚିଛି। ଦେଶରେ ଏବେ ୧୪ ଲକ୍ଷ ୭୧ ହଜାର ୮୭୭ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ୪୪ ଲକ୍ଷ ୯୩ ହଜାର ୨୩୮ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଛି।