ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫଲକେ ଆୱାର୍ଡ, କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ୬୭ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ଦାଦା ସାହେବ ଫଲକେ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଓ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିରେ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରଜନୀକାନ୍ତଙ୍କୁ ୫୧ ତମ ଦାଦା ସାହେବ ଫଲକେ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ୬୭ ତମ ଫିଲ୍ମ ଓ ଦାଦା ସାହେବ ଫଲକେ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଥିଲା। କରୋନା ମହାମାରୀ କାରଣରୁ ପୁରସ୍କାର ବିତରଣକୁ ସ୍ଥଗିତ ରଖାଯାଇଥିଲା।

ମାଣିକର୍ଣ୍ଣିକା ଓ ପଙ୍ଗାରେ ଫିଲ୍ମରେ ଶ୍ରେଷ୍ଠ ଅଭିନୟ ପାଇଁ କଙ୍ଗନାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହିତ କଙ୍ଗନାଙ୍କର ଏହା ଚତୁର୍ଥ ପୁରସ୍କାର ହୋଇଛି। ସେହିପରି ଧନୁଷ ଓ ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ପ୍ରଦାନ କରାଯାଇଛି। ମନୋଜଙ୍କୁ ଚଳଚ୍ଚିତ୍ର ‘ଭୋସଲେ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ତାମିଲ କଳାକାର ଧନୁଷଙ୍କୁ ଚଳଚ୍ଚିତ୍ର ‘ଅସୁରନ’ ପାଇଁ ପୁରସ୍କାର ମିଳିଛି।

ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର ‘ଛିଛୋରେ’କୁୂ ଶ୍ରେଷ୍ଠ ହିନ୍ଦି ଫିଲ୍ମ ଭାବେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ୟପଟେ କେସରି ଚଳଚ୍ଚିତ୍ରର ‘ତେରି ମିଟ୍ଟି’ ସଂଗୀତ ପାଇଁ ବି ପ୍ରାକଙ୍କୁ ବେଷ୍ଟ ପ୍ଲେ ବ୍ୟାକ୍ ସିଙ୍ଗର ପୁରସ୍କାର ମିଳିଛି।