ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ପୁଲିସ ଡକାୟତି ଉଦ୍ୟମ ପଣ୍ଡ କରି ୫ ଡକାୟତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତେନ୍ତୁଳିଖୁଣ୍ଟି ଥାନା ଧଣ୍ଡରା ଗ୍ରାମର ଜିତେନ୍ଦ୍ର ହରିଜନ, କୋରାପୁଟ ଜିଲ୍ଲା ବିରସିଂହପୁର ଥାନା ଅନ୍ତର୍ଗତ କୁମୁଲି ଗ୍ରାମର ସୁରଜ ମହାରଣା, ନବରଙ୍ଗପୁର ଥାନା ଅନ୍ତର୍ଗତ ଛୁତିଆଗୁଡ଼ା ଗ୍ରାମର କରଫୁଲ ଛତର, ଢେପଗୁଡ଼ା ଗ୍ରାମର ମାଇକେଲ ହରିଜନ ଓ ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ବିରିଗୁଡ଼ା ଗ୍ରାମର ସଞ୍ଜୀବ ହିଆଲ । ଏନେଇ ଗଣମାଧ୍ୟମରେ ନବରଙ୍ଗପୁର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ନବରଙ୍ଗପୁରର ଏକ ପୁଲିସ ଟିମ୍ ପେଟ୍ରୋଲିଂ କରିବା ସମୟରେ ସିନ୍ଧିଗୁଡ଼ା ଗ୍ରାମର ଏକ କାଜୁ ବାଡ଼ ପାର୍ଶ୍ୱରେ ଥିବା ନରସିଂହ ରାଇସ ମିଲ ନିକଟରେ ଡକାୟତି ଯୋଜନା ଉଦ୍ୟମରେ ଥିବା ୫ ଡକାୟତକୁ ଗିରଫ କରିଛି । ଏମାନଙ୍କ ନିକଟରୁ ୨ଟି ଖଣ୍ଡା, ଛୁରୀ, ୨ଟି ହାତ ତିଆରି ଲୁହା ପଞ୍ଚ, ଲୁହା ଜ୍ୟାକ ରୋଡ଼ ଭଳି ମାରଣାସ୍ତ୍ର ସହ ୩ଟି ନମ୍ବରବିହୀନ ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି । ଏମାନେ ସମସ୍ତେ ସେହି କାଜୁବାଡ଼ସ୍ଥିତ ରାଇସ ମିଲ ନିକଟସ୍ଥ ରାସ୍ତାରେ ଏକାଠି ରହି ଡକାୟତି ଉଦ୍ୟମରେ ଥିବାବେଳେ ପୂର୍ବର ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ମାମଲା ଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।