ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ କେରମେଲି ତରଫରୁ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡେଙ୍ଗ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର ଓ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଜ୍ଞଶ୍ୱର ଦାଶ ଓ ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ଯୋଗ ଦେଇଥିଲେ । ପ୍ରଥମେ ସବୁଜ ପତକା ଦେଖାଇ ସାଇକ୍ଲୋଥନ୍ କାର୍ଯ୍ୟକ୍ରମକୁ ଅତିଥିଗଣ ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟରୁ ବାହାରି ଗ୍ରାମ ପରିକ୍ରମା ପରେ ଛାତ୍ରଛାତ୍ରୀଗଣ ପୁଣି ବିଦ୍ୟାଳୟକୁ ଫେରିଥିଲେ । ଏହି ଅବସରରେ ଅତିଥିଗଣ ଜାତୀୟ କ୍ରୀଡ଼ା ଦିବସ ପାଳନର ମହତ୍ୱ ବୁଝାଇବା ସହ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଖେଳ ଜୀବନ ଓ ଭାରତର କୃତିକୁ ସ୍ମୃତିଚାରଣ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ, ରଚନା, ଖୋଖୋ ଓ କବାଡ଼ି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥିଙ୍କଠାରୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସବିତା ଏକ୍କା, ରଶ୍ମିତା ନାୟକ, ମିନତୀ ଦାଶ, ଶିକ୍ଷକ ସୌମ୍ୟ ରଞ୍ଜନ ମହାନ୍ତି ଓ ପ୍ରସାନନ୍ଦ ବାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶିକ୍ଷୟତ୍ରୀ ସୁହାଶିନୀ ଗୁରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର ଧନ୍ୟବାଦ ଦେଇଥିଲେ ।