ଫ୍ଲୋରିଡା,ଏଜେନ୍ସି: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ସ୍ଥଗିତ ରହିଛି । ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରଠାରେ ଏହି ଅଭିଯାନ ପାଇଁ ଉଦ୍ଦିଷ୍ଟ ରକେଟ୍ ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ)ର ଇଞ୍ଜିନରେ ତ୍ରୁଟି ଦେଖାଯିବା ପରେ ଏହାର ଉତକ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି । ଏହି ତ୍ରୁଟିକୁ ସଜଡ଼ାଯିବା ପରେ ଆସନ୍ତା ସେପ୍ଟେମ୍ବର ୨ରେ ପୁଣି ଥରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ ।
ମିଳିଥିବା ସୂଚନା ଅନୁସାରେ ରକେଟର ତଳଭାଗରେ ଥିବା ଇଂଜିନରେ ତ୍ରୁଟି ଯୋଗୁଁ ଇଂଜିନକୁ ଇନ୍ଧନ ପହଞ୍ଚିପାରିନଥିଲା । ଇଂଜିନିୟରମାନଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ବେ ଏହା କାମ ନ କରିବାରୁ କାଉଣ୍ଟଡାଉନ ବନ୍ଦ କରାଯାଇଥିଲା ଓ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।
ଆର୍ଟେମିସ-୧ ନାମକ ଏହି ଅଭିଯାନ ମଧ୍ୟମରେ ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ ଓରିଅନ ନାମକ କାପସୁଲ ( ମହାକାଶ ଯାନ)କୁ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରି ଫେରିଆସିବ । ଓରିଅନ ମହାକାଶ ଯାନ ଚନ୍ଦ୍ର ଚାରିପଟେ ୬ ସପ୍ତାହ ବୁଲିବା ପରେ ଶେଷରେ ପୃଥିବୀକୁ ଫେରିଆସିବ ଓ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବ । ଏହି ଅଭିଯାନର ୨ୟ ପର୍ଯ୍ୟାୟରେ ଆସନ୍ତା ୨୦୨୫ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ପାଇଁ ଆମେରିକା ଲକ୍ଷ୍ୟ ରଖିଛି ।
ପ୍ରାୟ ୫୦ ବର୍ଷ ତଳେ, ୧୯୭୨ ମସିହାରେ ଆମେରିକାର ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମଣିଷକୁ ଓହ୍ଲାଇଥିଲା । ୫୦ ବର୍ଷ ପରେ ପୁଣି ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି ଆମେରିକା ।