ୟୁରୋପରେ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି, ହଜାର ହଜାର ଲୋକ ନିଖୋଜ

ବର୍ଲିନ,ଏଜେନ୍ସି: ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାଜନିତ ମୃତ୍ୟୁ ଏପର୍ଯ୍ୟନ୍ତ ୧୭୦ରେ ପହଞ୍ଚିଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଅନେକ ସ୍ଥାନରେ ପୁରୁଣା ଘରର କାନ୍ଥ ଭୁଶୁଡ଼ିଯାଇଛି। ଏହା ଲୋକଙ୍କ ଉପରେ ପଡ଼ିଥିବାରୁ ସେମାନଙ୍କ ଜୀବନ ଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଜର୍ମାନୀରେ ମୋଟ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି। ଆରୱେଲିଅର ଜିଲ୍ଲାରୁ କେବଳ ୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବନ୍ୟାରେ ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କିନ୍ତୁ ସେମାନଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ।

ଜର୍ମାନୀର ରିନେଲ୍ଡ-ପଲାଟିନେଟ ରାଜ୍ୟରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ୧୨ ଜଣ ସିନଜିଙ୍ଗରେ ଦିବ୍ୟାଙ୍ଗ ଆଶ୍ରୟ କେନ୍ଦ୍ରରୁ ଥିଲେ। ପଡେଶୀ ଉତ୍ତର ରିନେ-ୱେଷ୍ଟଫାଲିଆ ରାଜ୍ୟରେ ମୃତକଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ।

ଜର୍ମାନୀର ରାଷ୍ଟ୍ରପତି ଫ୍ରାଙ୍କ ୱାଲଟର ଷ୍ଟ୍ରନମେୟର କହିଛନ୍ତି, ବନ୍ୟା ଯୋଗୁଁ ଉପୁଜିଥିବା ବିନାସ ସ୍ଥିତି ନେଇ ସ୍ତବ୍ଧ ଅନୁଭବ କରୁଛି। ସେ ଲୋକଙ୍କୁ ମୃତକଙ୍କ ସମ୍ପର୍କୀୟ ଓ ଏହି ବିପର୍ଯ୍ୟୟରେ ବ୍ୟାପକ କ୍ଷତି ହୋଇଥିବା ସହର ଏବଂ ରାଜ୍ୟକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଷ୍ଟୀନମେୟର ଶୁକ୍ରବାର ଅପରାହ୍ଣରେ ଜାରି ଏକ ବୟାନରେ କହିଛନ୍ତି ଯେ, ବିପଦ ପରିସ୍ଥିତିରେ ଆମର ଦେଶ ଏକାଠି ଛିଡ଼ା ହୋଇଛି। ରାଷ୍ଟ୍ରପତି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।

ବନ୍ୟା ବିପତ୍ତି ଯୋଗୁଁ ଲୋକେ ନାହିଁ ନଥିବା ଦୁଃଖ ଭୋଗୁଛନ୍ତି। ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ କିଛି ସ୍ଥାନରେ ରୋଷେଇ ହୋଇପାରି ନାହିଁ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳରେ ଲୋକଙ୍କୁ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।