ନକଲି ଔଷଧ କାରବାର ମାମଲା, ରାହୁଲର ଜାମିନ ଆବେଦନ ଖାରଜ

କଟକ,ଏନ୍ଏନ୍ଏସ୍: ନକଲି ଔଷଧ ମାମଲାରେ ରାହୁଲ କ୍ୟାଲ୍‌ର ଜାମିନ ଖାରଜ ହୋଇଛି । ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ରାହୁଲର ନିୟମିତ ଜାମିନ ଆବେଦନକୁ ଖାରଜ କରିଛନ୍ତି । ନକଲି ଔଷଧ କାରବାର ଅଭିଯୋଗକୁ ନେଇ ପୁରୀଘାଟ ଥାନାରେ ଭିଆର ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌, ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ରାହୁଲ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ରେ କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ । ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା ।

ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିବ ବୋଲି କହିଥିଲେ କଟକ ଡିସିପି । ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ଗତ ୨୧ ତାରିଖ ଦିନ ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବାହାରକୁ ଯାଇଥିଲା ।