ବିଜେପିରେ ସାମିଲେ ହେଲେ ତେଜେଶ୍ୱର ପରିଡା

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଶାସକ ବିଜେଡି ଦଳ ଛାଡିଥିବା ପୂର୍ବତନ ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତେଜେଶ୍ବର ପରିଡା ବିଜେପିରେ ସାମିଲ ହୋଇଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଏହି ଯୁବନେତା ବିଦ୍ଧିବଧ ଭାବେ ପଦ୍ମ ଧରିଛନ୍ତି । ତେଜେଶ୍ବର ବିଜେଡିର ରାଜ୍ୟ ପ୍ରବକ୍ତା ଭାବେ କାର୍ଯ୍ୟ କରିଥିବା ବେଳେ, ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ମଧ୍ୟ ଥିଲେ ।

ତେଜେଶ୍ୱରଙ୍କ ସହିତ ଆଳିର ବିଶିଷ୍ଟ ଶିକ୍ଷାବିତ , କନିକା ଏସଏନ କଲେଜର ଅଧ୍ୟକ୍ଷ ବୈକୁଣ୍ଠନାଥ ପରିଡା ମଧ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ସଭାପତି ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ଵାଗତ କରିଥିଲେ ।

ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା , ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ , ସହପ୍ରଭାରୀ ବିଜୟପାଲ ସିଂ ତୋମାର , ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।