କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ ଫେରାର: ସିଲ୍ ହେଲା କଟକ ସୀମା

କଟକ,ଏନ୍ଏନ୍ଏସ୍: ଗତ କାଲିଠୁ ଭୟରେ ଥରୁଛି କଟକ ସହର। କୁଖ୍ୟାତ ଗ୍ୟାଙ୍ଗଷ୍ଟର ‘ହାଇଦର ଅଲ୍ଲୀ’ ଏସସିବି ମେଡିକାଲକୁ ଚମ୍ପଟ ମାରିବା ପରେ ଏବେ ପୁରା କଟକ ସହରରେ ଭୟର ବାତାବରଣ ଦେଖାଦେଇଛି। ଏବେ ପର୍ଯ୍ୟନ୍ତ ହାଇଦରର ପତ୍ତା ପାଉନି କମିସନରେଟ୍ ପୁଲିସ। ହାଇଦରକୁ ଧରିବା ପାଇଁ ପୁରା ହାଇଆଲର୍ଟ ଜାରି ହେବ ସହିତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ପୋଲିସର ନିଦ ହଜିଛି। ହାଇଦର ଫେରାର ହେବା ପରେ କାଲିଠାରୁ ପୁରା କଟକ ସହରର ସୀମାକୁ ସିଲ୍ କରାଯାଇଛି।

ଗତ କାଲି ହାଇଦର ଫେରାର ହୋଇଯିବା ପରେ କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ଏକ ଏମର୍ଜେନ୍ସି ବୈଠକ ବସିଥିଲା। ଯେଉଁଥିରେ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ବଛା ବଛା ପୁଲିସ ଅଫିସରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।

ପୁଲିସ କଟକ ଭିତରକୁ ଆସୁଥିବା ଗାଡି ଓ ବାହାରକୁ ଯାଉଥିବା ଗାଡି ଗୁଡିକର ଯାଞ୍ଚ କରୁଛି। ଏଭଳି ହାଇ ଆଲର୍ଟ ଭିତରେ ହାଇଦର ଯେଉଁଠିବି ଳୁଚିଥିଲେ ତାକୁ ଅତି ଶୀଘ୍ର ଗିରଫ କରାଯିବ ବୋଲି କମିସନରେଟ୍ ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ହାଇଦର ଅଲ୍ଲୀ ଦୁଇ ଦୁଇଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ ସଜ୍ଜା କାଟୁଥିଲା। ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ଗତ କାଲି କଟକ ଏସସିବି ମେଡିକାଲ ଅଣାଯାଇଥିଲା। ସେଠାରୁ କୌଶଳ କ୍ରମେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଅଲ୍ଲୀ ଫେରାର ହୋଇଯାଇଛି।