ରାଜ୍ୟରେ ଦିନକରେ ୧୩୭୯ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨ ଦିନ ହେବ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୩ ଶହରୁ ଅଧିକ ରହୁଛି। ଏନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ଲକଡାଉନ ଓ କଣ୍ଟେନମେଣ୍ଟ ଜୋନ ଭଳି ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ପୁଣି ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୩୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୮୦୮ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୫୭୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଏହି ନୂଆ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୮, ନୂଆପଡ଼ାରୁ ୯୦, ସମ୍ବଲପୁରରୁ ୮୬, ନବରଙ୍ଗପୁରରୁ ୭୧, ବରଗଡ଼ରୁ ୬୮, କଟକରୁ ୫୬, ବଲାଙ୍ଗିରରୁ ୫୪, ମୟୂରଭଞ୍ଜରୁ ୪୯, ପୁରୀରୁ ୪୩, ଝାରସୁଗୁଡ଼ାରୁ ୪୨, ଭଦ୍ରକରୁ ୩୬, ଷ୍ଟେଟପୁଲରୁ ୩୫, ବାଲେଶ୍ୱରରୁ ୩୩, ଗଞ୍ଜାମରୁ ୩୧, କେନ୍ଦୁଝର ଓ କଳାହାଣ୍ଡିରୁ ୩୦ ଜଣ ଲେଖାଏଁ, ଅନୁଗୁଳରୁ ୨୭, ରାୟଗଡ଼ାରୁ ୨୫, ଯାଜପୁରରୁ ୧୯, ନୟାଗଡ଼ରୁ ୧୮, ସୋନପୁରରୁ ୧୪, କନ୍ଧମାଳରୁ ୧୦, କୋରାପୁଟରୁ ୯, ଜଗତସିଂହପୁର ଓ କେନ୍ଦ୍ରାପଡ଼ରୁ ୬ ଜଣ ଲେଖାଏଁ, ଦେବଗଡ଼, ମାଲକାନଗିରି ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଗଜପତିରୁ ୩ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୪୯ ହଜାର ୫୬୧ରେ ପହଞ୍ଚିଛି। ସେହିପରି ୩ ଲକ୍ଷ ୩୯ ହଜାର ୬୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭,୯୭୯ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।