କଟକିଆ ବାବୁଙ୍କ ଦାଦାଗିରି ଫଟୋ ଭାଇରାଲ୍‌

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ସହରର ଆଇନ ଶୃଙ୍ଖଳା ବ୍ୟବସ୍ଥା ଦିନକୁଦିନ ବିଗିଡ଼ିବାରେ ଲାଗିଛି । ପ୍ରତିଦିନ ଲୁଟତରାଜ, ଗଣ୍ଡଗୋଳ ଓ ହତ୍ୟା ଭଳି ଖବର ଆସୁଥିବା ବେଳେ କିଛି ଅସାମଜିକ ତଥା ଅପରାଧୀଙ୍କ ଫଟୋ ଲୋକଙ୍କୁ ଆହୁରି ଭୟଭୀତ କରୁଛି । ଏଭଳି ସ୍ଥିତିରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୨ ପାଖ ନିରତାର ସେଣ୍ଟର ରାସ୍ତାରେ ଜଣେ ଯୁବକ ଖୁକୁରି ବୁଲାଉଥିବା ଏକ ଫଟୋ ଏବେ ଭାଇରାଲ ହେଉଛି । ଉକ୍ତ ଫଟୋରେ ଜଣେ ଯୁବକ ଅନ୍ୟଜଣେ ଯୁବକଙ୍କ ଉପରେ ଖୁକୁରି ବୁଲାଉଥିବା ଦେଖିବାକୁ ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ପଚରାଉଚୁରା କରିବା ପରେ ଉକ୍ତ ଖୁକୁରିଧାରୀ ଯୁବକ ଜଣକ ହେଉଛନ୍ତି କଟକିଆ ବାବୁ । ସେ ଗତ କିଛିଦିନ ପୂର୍ବରୁ କଟକରୁ ଏଠାକୁ ଚାକିରି କରିବାକୁ ଆସିଛନ୍ତି । ବାବୁ ଖୋଦ ନିରତାର ସେଣ୍ଟରରେ କାମ କରୁଥିବାବେଳେ ତାଙ୍କର ନାଁ ଜଣାନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବା ପରେ ଉପରୋକ୍ତ ରାସ୍ତାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରତିଦିନ ପଢ଼ିବାକୁ ଆସୁଥିବା ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ ଉକ୍ତ ଅଞ୍ଚଳରେ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ପ୍ରକାଶ ପାଇଛି ।