ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା ହେଲା କର୍ଫ୍ୟୁ । ଏନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି । ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସହରର ୬ଟି ଥାନା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି । ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା, କ୍ଷେତରାଜପୁର ଥାନା, ଅଇଁଠା ପାଲି ଓ ସଦର ଥାନା, ବରେଇପାଲି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।
ଗତକାଲି(ଶୁକ୍ରବାର) ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ ସମ୍ବଲପୁର ସହରର କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ମଧ୍ୟ ହୋଇଥିଲା । ଏଭଳି ପରିସ୍ଥିତିରେ ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କର୍ଫ୍ୟୁ ସମୟରେ ଘରୁ ନ ବାହାରିବାକୁ ଜନସାଧାରଣଙ୍କୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣା କିଣି ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ସକାଳ ୮ଟାରୁ ୧୦ଟା ଯାଏଁ ଓ ସନ୍ଧ୍ୟା ୩ଟା ୩୦ରୁ ୫ଟା ୩୦ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ଲୋକେ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ହିଁ ଖୋଲା ରହିବ । ମେଡିକାଲ ଏମରଜେନ୍ସି ପାଇଁ ହେଲ୍ପନାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଯଦି କୌଣସି ବ୍ୟକ୍ତି ଅସୁସ୍ଥ ହୋପଡନ୍ତି ତେବେ ୭୬୫୫୮୦୦୭୬୦ ନମ୍ବରରେ ଯୋଗାଯୋଗ କରିପାରିବେ । ସହରରେ କର୍ଫ୍ୟୁ ଲାଗିଥିବା ସମସ୍ତ ଅଞ୍ଚଳରେ ଦୋକାନ, ବଜାର, ବ୍ୟବସାୟୀକ ପ୍ରତିଷ୍ଠାତା ସବୁ ବନ୍ଦ ରହିବ ।
ସୂଚନା ଯୋଗ୍ୟ ଯେ, ଗତ ୧୨ ତାରିଖରେ ସମ୍ବଲପୁର ଧନୁପାଲି ଛକରୁ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଥିବା ସମୟରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ପଥର ମାଡ଼ ହୋଇଥିଲା । ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ମାନଙ୍କ ଉପରେ ପଥର ମାଡ଼ ହେବାରୁ ୧୫ରୁ ଊର୍ଦ୍ଧ୍ବ ପୋଲିସ କର୍ମୀ ଆହତ ହୋଇଥିଲେ । ଏହାପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରଶାସନ ତରଫରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି । ପ୍ରଥମେ ୧୪୪ ଧାରା ଜାରି କରା ପରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି । ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ହେଉଥିବା ବେଳେ କେତେକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଅଗ୍ନିକାଣ୍ଡ ହୋଇଥିବାରୁ ଆଜି କର୍ଫ୍ୟୁ ଘୋଷଣା କରାଯାଇଛି ।