୫ ଦିନଧରି ସିଆରପିଏଫ ଯବାନ ନିଖୋଜ, ପରିବାର ପକ୍ଷରୁ ଥାନାରେ ଏତଲା

ରାୟଗଡ଼ା,ଏନ୍ଏନ୍ଏସ୍: ଗତ ୫ ଦିନ ଧରି ଜଣେ ସିଆରପିଏଫ୍‌ ଯବାନ ନିଖୋଜ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ତେବେ ନିଖୋଜ ଯବାନ ଜଣଙ୍କ ଉତ୍ତରପ୍ରଦେଶର ଧରମ ଦେବ। ରାୟଗଡ଼ା ସ୍ଥିତ ସିଆରପିଏଫର ୪ର୍ଥ ବାଟାଲିଅନରେ ସେ କାମ କରୁଥିଲେ। ଶେଷଖାଲ ଥାନାରେ ତାଙ୍କର ଡିୟୁଟି ଥିବାବେଳେ ସେ ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସିଆରପିଏଫ ୪ର୍ଥ ବାଟାଲିଅନ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ

ସେଠାରୁ ତାଙ୍କୁ ଦିଲ୍ଲୀ ଡେପୁଟେସନରେ ଯିବାର  ଥିଲା। କିନ୍ତୁ ସେ ଥାନାରୁ ବାହାରିଥିଲେ ହେଁ ରାୟଗଡ଼ା ସଦର ମହକୁମାରେ ପହଞ୍ଚି ନଥିଲେ। ତେବେ ଏ ନେଇ ବାଟାଲିଅନପକ୍ଷରୁ ବହୁ ସମସ୍ତ ଜାଗାରେ ଖୋଜାଖୋଜି ପରେ ମଧ୍ୟ ତାଙ୍କ କୌଣସି ସନ୍ଧାନ ମିଳିନାହିଁ। ଏ ନେଇ ଉତ୍ତରପ୍ରଦେଶରେ ରହୁଥିବା  ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା।

ଗୁରୁବାର ପରିବାର ଲୋକେ ରାୟଗଡ଼ାରେ ପହଞ୍ଚି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଧରମ ଦେବଙ୍କ କୌଣସି ଖବର ମିଳିନଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ କିମ୍ବା ସିଆରପିଏଫ୍‌ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।