ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଟ୍ରକ୍, ୧୦ ଯବାନ ଗୁରୁତର

ଗିରିଡିହ,ଏଜେନ୍ସି: ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଆଜି ସିଆରପିଏଫ୍ ଯବାନଙ୍କ ଟ୍ରକ ଓଲଟି ପଡ଼ିଥିବା ଜଣାପଡ଼ିଛି। ରାସ୍ତାରେ ଗୋରୁ ମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଅଘଟଣ ଘଟିଥିବା ପୁଲିସ ସୂଚନା ଦେଇଛି। ଏଥିରେ ୧୦ ଜଣ ସିଆରପିଏଫ୍ ଯବାନ ଗୁରୁତର ହୋଇଛନ୍ତି।

ଏହି ଘଟଣାଟି ମଧୁବନ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ୧୫୪ ସିଆରପିଏଫ୍ ବାଟାଲିୟନର ୨୫ ଜଣ ଯବାନଙ୍କୁ ଟ୍ରକରେ ମଧୁବନରୁ ନିମିଆଘାଟକୁ ସ୍ଥାନାନ୍ତରଣ କରାଯାଉଥିଲା। ଏହି ସମୟରେ ହଠାତ୍ କିଛି ଗୋରୁ ତାଙ୍କ ଟ୍ରକ ସାମ୍ନାକୁ ଚାଲିଆସିଥିଲେ। ସେମାନଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜଣଙ୍କ ଗାଡ଼ିଟିକୁ ରାସ୍ତା ପାଶ୍ୱର୍କୁ ମୋଡି ଦେଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ପାଖାପାଖି ୧୦ ଜଣ ଯବାନ ଆହତ ହୋଇଥିଲେ। ତୁରନ୍ତ ସେଠାରୁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨-୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।