କରକା ମାଡ଼: ଫସଲ କ୍ଷତିର ଅନୁଧ୍ୟାନ କଲେ ବିଧାୟକ ଏବଂ ଜିଲ୍ଲା ବିଜେପି ସଭାପତି, ୩ ଦିନରେ ୨୦ ହଜାର ହେକ୍ଟର ଫସଲ କ୍ଷତି

ବରଗଡ଼,ଏନ୍ଏନ୍ଏସ୍: ଆଉ କିଛି ଦିନ ପରେ ରବି ଧାନ ଅମଳ ହେବ। ଏହି ସମୟରେ କରକା ମାଡ଼ ଚାଷୀର ମେରୁଦଣ୍ଡ ଦୋହଲାଇ ଦେଇଛି। ବରଗଡ଼ ଜିଲ୍ଲାରେ ୩ଦିନ ଧରି ହୋଇଥିବା କରକା ମାଡ଼ରେ ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଶନିବାର ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କ୍ଷୟକ୍ଷତି ଅନୁଧ୍ୟାନ କରି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି।

ସେହିପରି ବିଭିନ୍ନ ସ୍ଥାନରେ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି। ଗତ ମଙ୍ଗଳବାର ୨୧ ତାରିଖରେ ଜିଲ୍ଲାର ବରଗଡ଼, ବରପାଲି ଏବଂ ଅତାବିରା ବ୍ଲକର ପ୍ରାୟ ୪୭ଟି ଗ୍ରାମର ୮୯୦୦ ହେକ୍ଟର ଫସଲ କରକା ମାଡ଼ରେ ପ୍ରଭାବିତ ହୋଇଥିଲା। ସେହିପରି ୨୩ ତାରିଖ ଗୁରୁବାର ଭେଡେନ, ଅତାବିରା ଓ ବରଗଡ଼ ବ୍ଲକରେ କୁଆପଥର ମାଡ଼ ହୋଇଥିଲା। ଅନୁରୂପ ଭାବେ ଶୁକ୍ରବାର ବରଗଡ଼, ଭଟଳି, ବିଜେପୁର, ବରପାଲି ବ୍ଲକରେ କରକାମାଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ତିନି ଦିନ ଧରି ହୋଇଥିବା କରକାମାଡ଼ରେ ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାରେ ପ୍ରାୟ ୨୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ତେବେ ଶନିବାର ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟ ଓ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପୃଥକ ପୃଥକ ଭାବେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ସେଠାକାର ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ଦୁଃଖ ଓ ସମସ୍ୟା ବୁଝିଥିଲେ। ପରେ ସେମାନେ ଜିଲ୍ଲାପାଳ ଓ ତହସିଲଦାରଙ୍କୁ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ଅନୁରୋଧ କରିଛନ୍ତି।