ସାତକୋଶିଆ ସମେତ ୩ ବନଖଣ୍ଡରେ କୁମ୍ଭୀର ସଂଖ୍ୟା ବୃଦ୍ଧି

ଅନଗୁଳ,ଏନ୍ଏନ୍ଏସ୍: ଅନୁଗୋଳ ବନମଣ୍ଡଳରେ କୁମ୍ଭୀର ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି।ଗତବର୍ଷ ସାତକୋଶିଆ, ମହାନଦୀ ଓ ଆଠମଲ୍ଲିକ ବନଖଣ୍ଡରେ ମୋଟ୍ ୧୧୨ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ତିନି ବନଖଣ୍ଡରେ ୧୯ଟି କୁମ୍ଭୀର ବୃଦ୍ଧି ଘଟିଥିବା ଆସିସିଏଫ୍ ପ୍ରଦୀପରାଜି କରାଟ୍ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୯ରୁ ୧୧ ତାରିଖ ପର୍ୟ୍ୟନ୍ତ ଅନୁଗୋଳ ବନମଣ୍ଡଳରେ କୁମ୍ଭୀର ଗଣନା ହୋଇଥିଲା । ମହାନଦୀ ଓ ସାତକୋଶିଆ ଓ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ମୋଟ୍ ୧୩ଟି ଟିମରେ ୫୦ ଜଣ କର୍ମଚାରୀ ଏହି ଗଣନା କରିଥିଲେ । ଏହି ଗଣନା ପାଇଁ ବନବିଭାଗ ତରଫରୁ ୧୩ଟି ଦେଶୀ ଡଙ୍ଗା ଓ ଦୁଇଟି ବୋଟ୍‌ର ବ୍ୟବସ୍ଥା କରାଯାଇଥିଲା ।

ପ୍ରଥମେ ଟିକରପଡା ଘାଟ ଠାରୁ ଆରମ୍ଭ ହୋଇ, ମାରାଡ଼ା ଠାରୁ ଶୀତଳପାଣି ନଦୀ, ଶୀତଳପାଣିଠାରୁ ହରଭଙ୍ଗା , ଟିକରପଡ଼ା ଠାରୁ କଟରଙ୍ଗ ଘାଟ, କଟରଙ୍ଗ ଘାଟ, ଅଇଡ଼ା,ବାଲିପୁଟ ଓ କିଆକଟା ଅଞ୍ଚଳରେ କୁମ୍ଭୀର ଗଣନା କରାଯାଇ ଥିଲା । ବନ ବିଭାଗ ସବୁ ପ୍ରକାର ପ୍ରସ୍ତୁତି ଏବଂ ସତର୍କତା ଅବଲମ୍ବନ କରିଥିବା ବେଳେ କୁମ୍ଭୀର ଗଣନା ପରେ ପ୍ରତି ବନଖଣ୍ଡ ସ୍ତରୀୟ ରିପୋର୍ଟକୁ ଏକାଠି କରି ରୋପର୍ଟ ପ୍ରଦାନ କରିଛି ।

ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ, ୮୫ଟି ମଗର, ଆଠମଲ୍ଲିକର ବିଭିନ୍ନ ଜଳାଶୟରେ ୨୮ଟି ମଗର ଅଛନ୍ତି । ସେହି ପରି ଟିକରପଡା କୁମ୍ଭୀର ପ୍ରଜନନ କେନ୍ଦ୍ରରେ ୬ଟି ମଗର ଓ ୪ଟି ଘଡ଼ିଆଳ ଥିବା କୁହାଯାଇଛି ।ଏଥିସହିତ ମୋଟ୍ ୧୧୯ଟି ମଗର ଓ ୧୨ଟି ଘଡ଼ିଆଳକୁ ମିଶାଇ ବନମଣ୍ଡଳରେ ମୋଟ ୧୩୧ଟି କୁମ୍ଭୀର ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।