ଅହମ୍ମଦାବାଦ,ଏଜେନ୍ସି: ଭାରତ ବୁଧବାର ଅହମ୍ମଦାବାଦ୍ର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୪୪ ରନ୍ରେ ବିଜୟୀ ହୋଇଛି। ରୋହିତ ଶର୍ମାଙ୍କ ଦିନିକିଆ କ୍ରିକେଟରେ ପୂର୍ଣ୍ଣକାଳୀନ ନେତୃତ୍ୱର ଆରମ୍ଭ ବିଜୟରୁ ହିଁ ହୋଇଛି। ଏଥି ସହିତ ଭାରତ ୩ ମ୍ୟାଚର ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ଆସନ୍ତା ୧୧ ତାରିଖରେ ହେବ।
କେବଳ ୨୩୮ ରନ୍ରେ ବିଜୟୀ ହେବା ପାଇଁ ଭାରତୀୟ ବୋଲରମାନେ ବହୁ ପରିଶ୍ରମ କରିଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ବହୁତ ଭଲ ବୋଲିଂ କରିଥିଲେ। ସେ ନିଜର ପ୍ରଥମ ୨ ଓଭରରେ ୨ଟି ୱିକେଟ୍ ନେଇଥିଲେ। ଭାରତର ବୋଲିଂ ବଳରେ ୭୬ ରନ୍ରେ ୱେଷ୍ଟଇଣ୍ଡିଜ୍ର ୫ଜଣ ଖେଳାଳି ଆଉଟ ହୋଇଥିଲେ।
ଭାରତ ପ୍ରଥମେ ବ୍ୟାଟିଂ କରି ୯ଟି ୱକେଟ୍ ହରାଇ ୨୩୭ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ଟିମ୍ କେବଳ ୧୯୩ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଭାରତୀୟ ଅନ୍ୟ ବୋଲର ମାନେ ମଧ୍ୟ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲେ। ଶାର୍ଦ୍ଦୁଳ ଠାକୁର ୨ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ସବୁଠାରୁ ବଡ଼ କଥା ହେଲା ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ଘରୋଇ ପଡ଼ିଆରେ କ୍ରମାଗତ ୭ଟି ମ୍ୟାଚ ଜିତିଛି।