ବାରବାଟୀ ମୁକାବିଲା: ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଦକ୍ଷିଣ ଆଫ୍ରିିକା କ୍ରିକେଟ୍ ଟିମ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଗୁରବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଶୃଙ୍ଖଳାର ୨ ଟିମ୍ ଆସନ୍ତା ୧୨ ତାରିଖରେ ଐତିହାସିକ ବାରବାଟୀ ମୁକାବିଲା ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ । ସୂଚନା ଅନୁସାରେ ଉଭୟ ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଟିମ୍ ଦିଲ୍ଲରୁ ପୂର୍ବାହ୍ନ ୧୧ଟା ୪୫ରେ ଭୁବନେଶ୍ୱର ଅଭିମୁଖେ ଭିସ୍ତରା ଏୟାରଲାଇନ୍ସରେ ବାହାରିବେ । ଉଭୟ ଟିମ୍ ଅପରାହ୍ନ ୧ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିଲା ପରେ ସେମାନଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯିବ । ଏହି ଅବସରରେ ରାଜ୍ୟର ଜଣାଶୁଣା କ୍ରୀଡ଼ାବିତ୍ ଉପସ୍ଥିତ ରହିବେ । ଖେଳାଳିଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ବିମାନବନ୍ଦର ବାହାରେ ମଧ୍ୟ ଭିଡ ଲଗାଇପାରନ୍ତି । ଖେଳାଳିମାନଙ୍କୁ ବିମାନବନ୍ଦରରୁ କଡ଼ା ସୁରକ୍ଷା ଭିତରେ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲକୁ ନିଆଯିବ ।

ଦକ୍ଷିଣ ଆଫ୍ରିକା ଟିମ୍ ଜୁନ ୧୧ ତାରିଖରେ ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିବ । ସେହିଭଳି ଭାରତ ସନ୍ଧ୍ୟା ୫ଟାରୁ ୮ଟା ଯାଏଁ ଅଭ୍ୟାସ କରିବ ।

ସୂଚନାଯୋଗ୍ୟ, ୫ଟି ଟି-୨୦ ମ୍ୟାଚର ଶୃଙ୍ଖଳାରେ ଭାରତ ଗୁରୁବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି । ଶୃଙ୍ଖଳାର ୨ୟ ମ୍ୟାଚ କଟକର ବାରବାଟୀରେ ଜୁନ୍ ୧୨ ତାରିଖରେ ଖେଳାଯିବ । ମ୍ୟାଚ ଆୟୋଜନ ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଗତକାଲି ସବୁ ଅଫଲାଇନ୍ ଟିକେଟ ବିକ୍ରି ହୋଇସାରିଛି । ଶାନ୍ତିଶୃଙ୍ଖଳାର ସହିତ ମ୍ୟାଚ ଆୟୋଜନ ପାଇଁ ବ୍ୟାପକ ପୋଲିସ ମୁତୟନ ହେବେ ।