ତାମିଲଗୁଡ଼ାରେ ଜମି, ଜଳ ଓ ଜଙ୍ଗଲ ପାଇଁ ସିପିଆଇ ଏମଏଲ ଲିବରେସନର ଆଦିବାସୀ ମେଳି

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ତାମିଲଗୁଡ଼ା ଗାଁରେ ସିପିଆଇ ଏମଏଲ ଲିବରେସନ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମନାଗୁଡ଼ା ବ୍ଲକର ଅନେକ ଅଞ୍ଚଳରେ ପୂର୍ବ ପୁରୁଷରୁ ଆଦିବାସୀମାନେ ଡଙ୍ଗର ଓ ପାହାଡ଼ ଖୋଳି ସମତଳ କରି ଚାଷ କରୁଛନ୍ତି । ଉକ୍ତ ଜମି ପାଇଁ ଆଦିବାସୀମାନେ ଅନେକ ବର୍ଷ ଧରି ଆନ୍ଦୋଳନ କରୁଥିଲେ ହେଁ ଜମି ପଟ୍ଟା ପାଇପାରୁନାହାନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ସରକାର ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହାପୂର୍ବରୁ ରାମନାଗୁଡ଼ା ବ୍ଲକରେ ଆଦିବାସୀଙ୍କ ଜମିଗୁଡ଼ିକୁ ଆନ୍ଧ୍ରପ୍ରଦେଶର ଜମି ମାଲିକମାନେ ବେନାମୀ ଭାବେ ସରକାର କଳକୁ ହାତ କରି ଲୁଟିି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅନେକ ଜମି ଆଦିବାସୀଙ୍କ ଦଖଲରେ ରହିଛି । ସେଥିପାଇଁ ସମସ୍ତ ପଞ୍ଚାୟତରେ ଜଙ୍ଗଲ ଜମି ଘରଡ଼ିହ ପଟ୍ଟା ପ୍ରଦାନ, ସମସ୍ତ ଜବ କାର୍ଡଧାରୀଙ୍କୁ ୨୦୦ ଦିନ କାମ, ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ ଓ ଗୋଗୁପାଚୁ ପଞ୍ଚାୟତର କେରାଣ୍ଡିଗୁଡ଼ା ବ୍ରିଜ ଯଥାଶୀଘ୍ର ସମାପ୍ତ ଆଦି ଦାବୀପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦାସୁରୁ ପାତିକା, ହରିଶ୍ଚନ୍ଦ୍ର ନିମାଲା, ସନ୍ୟା ଶବର, ଏଲିଅ ବିଡ଼ିକା , ରମେଶ ବିଡ଼କା, ମୋଜେସ ବିଡ଼ିକା ଓ ଗୋବିନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।