ମୃତଦେହ ଧରି ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଡୋକାଡ଼ାଉ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ରାତ୍ନୀ ଭୋଇ, ବୀର ଭୋଇ ଓ ସୁଦାମ ଭୋଇଙ୍କୁ ପୁଲିସ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ମିଳିଥିବା ରିପୋର୍ଟ ମୁତାବକ, ବ୍ରହ୍ମପୁରରୁ ଜଣେ ଯୁବତୀଙ୍କ ମୃତଦେହ ନେଇ ଆମ୍ବୁଲାନ୍ସଟି ୫୯ନଂ ଜାତୀୟ ରାଜପଥର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଦେଇ ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ଅଞ୍ଚଳକୁ ଯାଉଥିଲା । ରାତି ଅନିଦ୍ରା ଥିବାରୁ ଆମ୍ବୁଲାନ୍ସ ଚାଳକଙ୍କ ଆଖି ଲାଗିଯିବାରୁ ଏକ ବୁଲାଣି ରାସ୍ତାର ୱାଲରେ ଯାଇ ପିଟି ହୋଇଥିଲା । ଫଳରେ ମୃତଦେହ ସାଥୀରେ ଥିବା ସମ୍ପର୍କୀୟ ଗୁରୁତର ହୋଇଥିଲେ । ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ ସେଠାକୁ ପୁଲିସ ଟିମ୍ ପଠାଇ ଗୁରୁତରଙ୍କୁ ଉଦ୍ଧାର କରି ଅନ୍ୟ ଆମ୍ବୁଲାନ୍ସରେ ବାଲିଗୁଡ଼ା ପଠାଇଥିଲେ । ସେହିପରି ଅନ୍ୟ ଏକ ଗାଡ଼ିର ବ୍ୟବସ୍ଥା କରି ମୃତଦେହକୁ ଲଣ୍ଡାଗାଁ ପଠାଯିବା ବ୍ୟବସ୍ଥା କରାଯାଇଥିବା ତଦନ୍ତକାରୀ ଅଧିକାରୀ ଅର୍ଜୁନ ଶବର ପ୍ରକାଶ କରିଛନ୍ତି ।