ନୂଆଦିଲ୍ଲୀ,ଏଜେନ୍ସି: କେବଳ ଟିକା କରୋନା ସଂକ୍ରମଣକୁ ମୁକାବିଲା କରିପାରିବନି ବୋଲି ଗବେଷକମାନେ ମତବ୍ୟକ୍ତ କରିଛନ୍ତି । କରୋନା ଟିକାର ସଫଳ ପରୀକ୍ଷଣ ରିପୋର୍ଟ ପ୍ରକାଶ ପାଇବାକୁ ଯାଉଛି । ବଜାରରେ ଖୁବ୍ ଶୀଘ୍ର କରୋନା ଟିକା ମିଳିବ ବୋଲି ବହୁ ଦେଶ ଦୃଢ଼ତାର ସହ କହୁଛନ୍ତି । କିନ୍ତୁ କେବଳ ଟିକା ଉପରେ ଭରସା କଲେ, କରୋନା ସଂକ୍ରମଣରୁ ତ୍ରାହି ମିଳିବନି ବୋଲି ରୟାଲ୍ ସୋସାଇଟି ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ ଟିକାର ସଫଳ ପରୀକ୍ଷଣ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ବିଶେଷ କରି ଟିକାର ବହୁଳ ଉତ୍ପାଦନ, ଗୁଣାତ୍ମକ ମାନ ନିରୂପଣ, ମୂଲ୍ୟାଙ୍କନ ଓ ବିତରଣ ଭଳି ଦିଗଗୁଡ଼ିକ ପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି । ସାଧାରଣତଃ ଟିକାଗୁଡ଼ିକ ଦୀର୍ଘସ୍ଥାୟୀ ଭାବେ କାମ କରିଥାଏ । ମାତ୍ର କରୋନା ଟିକାର ସ୍ଥାୟିତ୍ୱ ପ୍ରତି ବୈଜ୍ଞାନିକମାନଙ୍କ ମନରେ ନାନା ସନ୍ଦେହଜାତ ହୋଇଛି । ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସାର୍ସ-କୋଭ୍-୨ ଟିକା ଉପରେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିନାହାନ୍ତି । ଉକ୍ତ ଟିକା ନେବାପରେ ଆକ୍ରାନ୍ତଙ୍କ ପ୍ରତିରୋଧକ ଶକ୍ତି କେତେମାତ୍ରାରେ ବୃଦ୍ଧି ପାଉଛି, ବୈଜ୍ଞାନିକମାନେ ଜାଣିବାକୁ ସକ୍ଷମ ହୋଇନାହାନ୍ତି । ତେଣୁ କୋଭିଡ୍-୧୯ ଟିକାର ସଫଳତା ଉପରେ ସେମାନେ ସନ୍ଦେହ ପ୍ରକାଶ କରିବା ସ୍ୱାଭାବିକ ।
ପ୍ରାୟ ୨୦୦ ଲୋକଙ୍କୁ କୋଭିଡ୍-୧୯ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ମାତ୍ର ହାତଗଣତି ଲୋକ କ୍ଲିନିକାଲ୍ ଟେଷ୍ଟରେ ସଫଳତା ପାଇଥିବାର ଜଣାପଡ଼ିଛି । ଅକ୍ସଫୋର୍ଡ/ଅଷ୍ଟ୍ରାଜେନେକା ଟିକା ସବୁ ଲୋକଙ୍କ ନିକଟରେ କାମ କରୁନଥିବା କୁହାଯାଉଛି । ସେହିପରି ମଡର୍ନା ତିଆରି କରିଥିବା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସ୍ପଷ୍ଟ ହୋଇଛି ।