କୋଭିସିଲ୍ଡ ଏବଂ କୋଭାକ୍ସିନକୁ ମିଶାନ୍ତୁ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ,ଏଜେନ୍ସି: ସିରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍ ଟିକା ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ୍ ଟିକା ‘କୋଭାକ୍ସିନ୍’ ଜାନୁଆରୀ ୧୬ରୁ ଲୋକମାନଙ୍କୁ ଦିଆଯିବ। ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ସୂଚୀ ପଠାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ସୂଚୀରେ ଉଭୟ କୋଭିଡ୍ ଟିକା ‘କୋଭିସିଲ୍ଡ’ ଏବଂ ‘କୋଭାକ୍ସିନ୍’ ଯେଭଳି ନମିଶେ ସେଥିପ୍ରତି ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଜଣେ ବ୍ୟକ୍ତିକୁ ଟିକାର ଦୁଇଟି ଡୋଜ୍ ଦିଆଯିବ। ତେବେ ଜଣେ ବ୍ୟକ୍ତିକୁ ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡ ଟିକା ଦିଆଯାଇଥିଲେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭିସିଲ୍ଡ ଟିକା ଦିଆଯିବ। ସେହିପରି ଜଣେ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନ୍ ଦିଆଯାଇଥିଲେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଦିଆଯିବ ବୋଲି ଉକ୍ତ ସୂଚୀରେ କୁହାଯାଇଛି। ଯେଭଳି ଉଭୟ ଟିକା ମିଶିନଯାଏ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ପକ୍ଷରୁ ତୁଳନାତ୍ମକ ସୂଚୀ ପଠାଯାଇଛି।