ଭାରତରେ କୋଭିଡ୍ ଟିକାକରଣ ଖୁବଶୀଘ୍ର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଖୁବଶୀଘ୍ର ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟାସନାଲ ମେଟ୍ରୋଲୋଜି ସମାବେଶରେ ଉଦବୋଧନ ଦେବା ଅବସରରେ କହିଛନ୍ତି, ନୂଆ ବର୍ଷରେ ଭାରତୀୟ ବୈଜ୍ଞାନିକମାନେ ସଫଳତାର ସହ ଦୁଇଟି ଭାରତୀୟ କୋଭିଡ୍ ଟିକା ବିକଶିତ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ବୈଜ୍ଞାନିକ ଓ ବୈଷୟିକବିତ୍ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସୋମବାର ଭର୍ଚୁଆଲ ମୋଡରେ ନ୍ୟାସନାଲ ଆଟମିକ୍ ଟାଇମ୍ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନଫରେନ୍ସିଂ ଯୋଗେ ଜାତୀୟ ପରିବେଶ ମାନକ ପରୀକ୍ଷାଗାରର ମଧ୍ୟ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର)ରେ ଯେଉଁ ଗବେଷଣା କାର୍ଯ୍ୟ ଚାଲିଛି ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ଲାଗି ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ସେମାନେ ଏଥିରେ ଉତ୍ସାହିତ ହେବେ ଏବଂ ସେମାନଙ୍କୁ ଭବିଷ୍ୟତରେ ବୈଜ୍ଞାନିକ ହେବାପାଇଁ ପ୍ରବର୍ତ୍ତାଯାଇପାରିବ। ଦେଶରେ ବିକାଶର ମୂଲ୍ୟାୟନରେ ନ୍ୟାସନାଲ ଫିଜିକାଲ ଲାବୋରୋଟୋରିର ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।