‘ପୁଟିନ୍ ଓ ବାଇଡେନଙ୍କ ଭଳି ପ୍ରଥମେ ଟିକା ନିଅନ୍ତୁ ମୋଦୀ’

ନୂଆଦିଲ୍ଲୀ, ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କ ମନରେ ଆସ୍ଥା ସୃଷ୍ଟି କରିବା ପାଇଁ ପ୍ରଥମେ କୋଭିଡ୍ ଟିକା ନିଅନ୍ତୁ ବୋଲି ବିହାରର କଂଗ୍ରେସ ନେତା ତଥା ବିଧାୟକ ଅଜିତ୍ ଶର୍ମା ଦାବି କରିଛନ୍ତି। ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ ଓ ଆମେରିକାର ନିର୍ବାଚିତ-ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭଳି ମୋଦୀ ପ୍ରଥମେ ଟିକା ନିଅନ୍ତୁ। ନୂଆବର୍ଷରେ ଦେଶରେ ଦୁଇଟି କୋଭିଡ୍ ଟିକା ମିଳିବା ଆନନ୍ଦର ବିଷୟ। କିନ୍ତୁ ଏହି ଟିକାର ସଫଳତା ନେଇ ସଂଶୟ ରହିଛି। ସଂଶୟ ମୋଚନ କରିବା ଲାଗି କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି କିଛି ବରିଷ୍ଠ ବିଜେପି ନେତା ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ନେବା ଉଚିତ୍। ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ୍ ଟିକାର ଶ୍ରେୟ ନେବାକୁ ବିଜେପି ଉଦ୍ୟମ କରୁଛି। କିନ୍ତୁ ବିଜେପି ନେତା ଜାଣିରଖିବା ଉଚିତ୍, ଟିକା ପ୍ରସ୍ତୁତ କରିଥିବା ଉପରୋକ୍ତ ଦୁଇଟି ପ୍ରତିଷ୍ଠାନ କଂଗ୍ରେସ ସରକାର ସମୟରେ ପ୍ରତିଷ୍ଠା କରାଯାଇଥିଲା। ଅଥଚ ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମିଳିବା ପରେ ବିଜେପି ଏଥିପାଇଁ ଉତଫୁଲ୍ଲିତ ହେଉଥିଲେ ମଧ୍ୟ କଂଗ୍ରେସକୁ ଏହାର ଶ୍ରେୟ ଦିଆଯିବା ଉଚିତ୍।