ଦିଲ୍ଲୀରେ ଉଗ୍ର ରୂପ ନେଉଛି କରୋନା, ପୁଣି ସପ୍ତାହେ ବଢିଲା ଲକଡାଉନ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀର ଅବସ୍ଥା ଏବେ ଧିରେ ଧିରେ ଅତି ଶୋଚନୀୟ ହେବାରେ ଲାଗିଛି। କରୋନା ମହାମାରୀ ବର୍ତ୍ତମାନ ଦିଲ୍ଲୀରେ ଉଗ୍ରରୂପ ନେଇଛି। ଏଭଳି ସ୍ଥିତିରେ ପୁଣି ଥରେ ଦିଲ୍ଲୀ ସରକାର ଆଉ ସପ୍ତାହେ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି।

ଆସନ୍ତା ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବଢିଲା ଲକଡାଉନ। ପୂର୍ବରୁ କରୋନା ମହାମାରୀର ଦ୍ୱିତୀୟ ଲହରରେ ପ୍ରଥମ ଥର ପାଇଁ ଏପ୍ରିଲ ୧୯ ତାରିଖରେ ଦିଲ୍ଲୀ ସରକାର ୬ ଦିନିଆ ଲକଡାଉନ ଘୋଷଣା କରିଥିଲେ। ଏହାପରେ ପୁଣି ଏହି ଲକଡାଉନକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ଦିଲ୍ଲୀ ସରକାର। ଏହାପରେ ମେ’ ୧୦ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଥିଲା। ଏହାରି ମଧ୍ୟରେ ଦିଲ୍ଲୀର ସ୍ଥିତି ସୁଧୁରି ନଥିବା ବେଳେ ଆଜି ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ଅନ୍ୟପଟେ ଲକଡାଉନ ସମୟରେ ଦିଲ୍ଲୀରେ ମେଟ୍ରୋ ସେବା ବନ୍ଦ ରଖିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା କାଲି ଠାରୁ ଦିଲ୍ଲୀରେ ମେଟ୍ରୋ ରେଳ ସେବା ବନ୍ଦ ରହିବ। ଆଜି ଏକ ପ୍ରେସମିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ବାବଦରେ ସୂଚନା ଦେଇଛନ୍ତି।