ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୁଖରେ ଆଜି କୋଭିଡ କିଓସ୍କ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ଓରମାସର ସହଭାଗିତାରେ ଆରମ୍ଭ ହୋଇଥିବା ଏହି କିଓସ୍କ ସେଣ୍ଟରଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ। ଏଠାରେ ଫେସ ମାସ୍କ, ଫେସ ସିଲଡ, ହ୍ୟାଣ୍ଡ ଗ୍ଲୋଭସ, ସାନିଟାଇଜର ଓ କାଢ଼ା ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମିଳିବ।
ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରେ ଶ୍ରୀ ସାମଲ କରୋନା ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। କିଓସ୍କ ସେଣ୍ଟର ଆରମ୍ଭ ହେବା ଦ୍ୱାରା ଲୋକେ କରୋନାରୁ ସୁରକ୍ଷା ପାଇଁ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ କିଣିପାରିବା ସହ ଏସଏଚଜି ଗ୍ରୁପର ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ, ଉପଜିଲ୍ଲାପାଳ ଶିବ ଟପ୍ପୋ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର, ଓରମାସ ଡେପୁଟି ସିଇଓ ଭାଗ୍ୟଲଷ୍ମୀ ରାଉତ, ଓଡ଼ିଶା ଜୀବିକା ମିଶନର ଡିପିଏମ୍ ନୀଳିମା କୁଜୁର, ରୂପସିତା ମିଶ୍ର, ସୋମାନି ସାହୁ, ରୁଦ୍ରନାରାୟଣ ଦାଶ, ଯଶୋବନ୍ତ ନାୟକ, ମା’ ଗଜଲଷ୍ମୀ ଓ ମା’ ଅମ୍ବେ ଏସଏଚଜି ଓ ଝାଡ଼େଶ୍ୱର ସିଲେଇ ଉତ୍ପାଦନ ଗୋଷ୍ଠୀ ଓ ସ୍ୱଶକ୍ତି ଛତୁ ଉତ୍ପାଦନ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।