ରାପିଡଆଣ୍ଟିଜେନ ଟେଷ୍ଟ ତ୍ୱରାନିତ : କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ଜିଲ୍ଲାପାଳ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାରେ କରୋନା ସଂକ୍ରମଣର ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ସଂକ୍ରମିତ ସମସ୍ତ ସ୍ଥାନୀୟ ବ୍ୟକ୍ତିଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛିା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ପୌରାଞ୍ଚଳ ଓ କଲଣ୍ଡା ପଞ୍ଚାୟତର କେତେକ ଅଞ୍ଚଳ ବୁଲି ସ୍ଥାନୀୟ ବ୍ୟକ୍ତି ଏବଂ କୋଭିଡ ଯୋଦ୍ଧାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ କୋଭିଡ ହସ୍ପିଟାଲ ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସଂକ୍ରମଣକୁ ପ୍ରତିହତ କରିବାପାଇଁ ପ୍ରଶାସନ ପକ୍ଷରୁ ରାପିଡଆଣ୍ଟିଜେନ୍ ଟେଷ୍ଟକୁ ତ୍ୱରାନିତ କରିବାପାଇଁ ନିଷ୍ପତି ନିଆଯାଇଛି। ମଙ୍ଗଳବାର ଠାରୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଓପିଡି ଓ ଆଇପିଡିକୁ ଆସୁଥିବା ରୋଗୀଙ୍କର କୋଭିଡ ଟେଷ୍ଟ କରାଯିବାକୁ ନିଷ୍ପତି ନିଆଯାଇଛି। ସେହିଭଳି ବ୍ଲକସ୍ତରରେ ଟିମ ଗଠନ କରାଯାଇ କ୍ଲଷ୍ଟର ଭିତ୍ତିରେ ଟେଷ୍ଟ କରାଯିବାକୁ ସ୍ଥିର କରାଯାଇଛି। ପ୍ରତ୍ୟେକ ଦିନ ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକମାନଙ୍କର ତଥ୍ୟ ସଂଗ୍ରହ କରାଯିବ। ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି।