ନୂଆଦିଲ୍ଲୀ, ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଫଳରେ ଏବେ ଦେଶରେ ସକ୍ରିୟ ସଂଖ୍ୟା ୪ ଲକ୍ଷରୁ କମ୍ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆଜି ଦେଶରେ ସକ୍ରିୟ ମାମଲା ସମୁଦାୟ କରୋନା ମାମଲାର ଚାରି ପ୍ରତିଶତରୁ କମ୍ ଅଟେ। ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଛି। ଏବେ ମୋଟ ପଜିଟିଭ ହାର ୬.୫ ପ୍ରତିଶତ ଅଟେ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ପାଇଁ ଆବେଦନ କରିଛନ୍ତି। ଭାରତରେ ୬ଟି ସମ୍ଭାବ୍ୟ ଟିକା କ୍ଲିନିକାଲ ପରୀକ୍ଷା ପର୍ଯ୍ୟାୟରେ ଅଛି। ଦେଶରେ କରୋନା ଭୁତାଣୁ ନିରୋଧୀ ଟିକା ପରିଚାଳନା ପାଇଁ ଚଳିତ ବର୍ଷ ଅଗଷ୍ଟରେ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଥିଲା। ଏହି ବିଶେଷଜ୍ଞ ଦଳ ଜନସଂଖ୍ୟା ଗୋଷ୍ଠୀର ପ୍ରାଥମିକତା, ଟିକା କ୍ରୟ ଏବଂ ଭଣ୍ଡାର ପରିଚାଳନା, ଟିକା ଚୟନ, ଟିକା ବିତରଣ ଏବଂ ଟ୍ରାକିଂ ପ୍ରଣାଳୀ ଉପରେ ମାର୍ଗଦର୍ଶନ ପ୍ରଦାନ କରୁଛନ୍ତି।