ଅଗଷ୍ଟ ୧୫ରେ ଆସିବ ଭାରତର ପ୍ରଥମ କରୋନା ପ୍ରତିଷେଧକ ଟିକା ‘କୋଭାକସିନ’: ଆଇସିଏମଆର

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ପ୍ରସ୍ତୁତ କୋଭିଡ ଟିକା ‘କୋଭାକସିନ’ର କ୍ଲିନିକାଲ ଟ୍ରାଏଲ ଶୀଘ୍ର ସାରିବାକୁ ଆଇସିଏମଆର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଅଗଷ୍ଟ ୧୫ ସୁଦ୍ଧା ଏହାର ଫଳାଫଳ ପ୍ରକାଶ କରିବା ପାଇଁ ଆଇସିଏମଆର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଆଇସିଏମଆର ଡିଜି ବଳରାମ ଭାର୍ଗଭ ଭାରତ ବାୟୋଟେକ ଓ ସଂସ୍ଥା ସହ ଜଡିତ ଥିବା ପ୍ରମୁଖ ମେଡ଼ିକାଲ କଲେଜକୁ ଚିଠି ଲେଖିଛନ୍ତି। ଫାସଟ୍ରାକ ମେଥଡରେ ଏହାର କ୍ଲିନିକାଲ ଟେଷ୍ଟ ସାରିବାକୁ କୁହାଯାଇଛି। ଯଦି ଏହି ଭାକସିନ ସଫଳ ଟେଷ୍ଟିଂ ହେଉଛି ତାହାହେଲେ କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ଏକ ବଡ଼ ସଫଳତା ମିଳିବା ନେଇ ଆଶା କରାଯାଉଛି।

ଦେଶର ପ୍ରଥମ କରୋନା ଟିକା ଭାବେ ‘କୋଭାକସିନ’କୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ) ପକ୍ଷରୁ ମଞ୍ଜୁରି ମିଳିଛି। ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହୋଇଥିବା ‘କୋଭାକସିନ’ର ଫେଜ-୧ ଓ ଫେଜ-୨ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇ ମଞ୍ଜୁରି ଦେଇଛି। ସେହିପରି ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ ଟ୍ରାଏଲ କରାଯିବାକୁ ନିର୍ଦ୍ଧାରିତ ହୋଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ଆଇସିଏମଆର ଓ ଏନଆଇଭିର ମିଳିତ ଉଦ୍ୟମରେ ଭାରତ ବାୟୋଟେକ ଏହି ଟିକା ପ୍ରସ୍ତୁତ କରିଛି।