ଝିଅକୁ ଦେଖା କରି ଫେରୁଥିବାବେଳେ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ସ୍କୁଲ ପଢୁଆ ଝିଅକୁ ଦୀପାବଳି ମିଠା ଦେବାସହ ଦେଖାକରି ଘରକୁ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଏକ ଦମ୍ପତି ପ୍ରାଣ ହରାଇଛନ୍ତି। ଝାରସୁଗୁଡ଼ା ଜିଲା ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯’ର ସାହାସବଗା ଛକରେ ଏହିପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତ୍ୟୁ ଦମ୍ପତି ହେଲେ ଲଖନପୁର ବ୍ଲକର ବିନିକା ସାପାଲିର କୃଷ୍ଣ ଚନ୍ଦ୍ର ସା ଓ ପତ୍ନୀ ସରିତା ସା। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଓ ବେପାରୁଆ ଗାଡ଼ି ଚାଳନାକୁ ରୋକିବା ଦାବି କରିଛନ୍ତି।

କତରବଗା ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଝିଅକୁ ଦୀପାବଳିରେ ଦେଖା କରିବାକୁ କୃଷ୍ଣ ଚନ୍ଦ୍ର ଓ ସରିତା ଯାଇଥିଲେ। ଝିଅକୁ ଦେଖା କରି ବାଇକରେ ଫେରୁ ଥିବା ସମୟରେ ସାହାସବଗା ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି। ଉତ୍ତେଜିତ ଲୋକଙ୍କୁ ରେଙ୍ଗାଲି ଓ ଲଖନପୁର ପୋଲିସ ବୁଝାସୁଝା କରୁଛନ୍ତି।