ଦୀପାବଳିରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ଓଡିଶାରେ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୁଣି ହ୍ରାସ ପାଇଲା ତେଲ ଦର। ଦୀପାବଳିରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍ ହ୍ରାସ କରିଛନ୍ତି ରାଜ୍ୟ ସରକାର। ଭ୍ୟାଟ୍ ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଘୋଷଣ କରିଛନ୍ତି। ତେବେ ରାଜ୍ୟ ସରକାର ତୈଳ ଦରରୁ ୩ ଟଙ୍କା ଭ୍ୟାଟ୍ ହ୍ରାସ କରିଥିବା ସୂଚନା ମିଳିଛି। ତେବେ ଏଥିଯୋଗୁଁ ପୁଣି ତୈଳ ଦର ହ୍ରାସ ପାଇଛି। ଯାହା ସାଧାରଣ ଲୋକଙ୍କୁ କିଛି ଆଶ୍ବସ୍ତି ଦେଇଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହାପରେ ଗୁରୁବାର ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍‌ ହ୍ରାସ କରିଛନ୍ତି ଓଡିଶା ସରକାର। ରାଜ୍ୟ ସରକାରଙ୍କ ଭ୍ୟାଟ୍ ହ୍ରାସ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଅତିରିକ୍ତ ୩ ଟଙ୍କା ରିହାତି ମିଳିବ। ତେବେ ନୂଆ ଦର ଗୁରୁବାର ମଧ୍ୟରାତ୍ରରୁ ଲାଗୁ ହେବ ବୋଲି ସୂଚନା ମିଳିଛି।

ଦେଶରେ ହୁ ହୁ ହୋଇ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର। ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା। ମହଙ୍ଗା ମାଡରେ ଜନତା କଲବଲ ହେଉଥିଲେ। ଫଳରେ କେନ୍ଦ୍ର ସରକାରଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। ତାର ପରିଣାମ ଉପ ନିର୍ବାଚନରେ ଦେଖିବାକୁ ମିଳିଥିଲା। ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଥିଲା। ତୈଳ ଦରରୁ ଉତ୍ପାଦ ଶୁଳ୍କ କମାଇବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ।