ନକଲି ସିମେଣ୍ଟ କାରଖାନା ଠାବ, ଟ୍ରକ୍ ଜବତ, ଜଣେ ଅଟକ

କଟକ,ଏନ୍‌ଏନ୍‌ଏସ୍‌: ନକଲି ସାମଗ୍ରୀ ତିଆରି ଓ କାରବାରର ହବ୍ ପାଲଟିଛି ଜଗତପୁର ଅଞ୍ଚଳ। ବେଶ୍ କିଛିଦିନ ପରେ ପୁଣି ଏଠାରେ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ପୂର୍ବରୁ ଏଠାରେ ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ବାରମ୍ବାର ଚଢ଼ଉ କରାଯାଇଥିଲେ ବି ଏହି କଳା କାରବାର ଥମିବାର ନାଁ ଧରୁନି। ସମ୍ପୂର୍ଣ୍ଣ ଭାବେ ଏହି ଅପମିଶ୍ରଣକୁ ବନ୍ଦ କରିବାକୁ ପ୍ରଶାସନ ବିଫଳ ହୋଇଛି। ଅସାଧୁ ବ୍ୟବସାୟୀମାନେ ବିଭିନ୍ନ ନାମୀଦାମୀ କମ୍ପାନୀର ପ୍ୟାକେଟ୍‌ରେ ନିମ୍ନମାନର ସାମଗ୍ରୀ ଭର୍ତ୍ତିକରି ଗ୍ରାହକଙ୍କୁ ଠକୁଥିବା ଜଣାପଡ଼ିଛି।

ଜଗତପୁର ଥାନା ଅନ୍ତର୍ଗତ ପୀରବଜାର ନିକଟସ୍ଥ ଚମ୍ପତି ଅଞ୍ଚଳରେ ଆଜି ପୁଲିସ୍ ଏକ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଓ ବସ୍ତା ସହ ଏକ ଟ୍ରକକୁ ଜବତ କରିଛି । ପୁଲିସ୍ ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଜଗତପୁର ଚମ୍ପତିର ଜଣେ ବ୍ୟବସାୟୀ କିଛି ବର୍ଷ ଧରି ଡାଲମିଆ ସିମେଣ୍ଟର ଡିଲରସିପ୍ ନେଇ ସିମେଣ୍ଟ ବିକ୍ରି କରିଥାନ୍ତି। ସିମେଣ୍ଟ ଠିକ୍ ସମୟରେ ବିକ୍ରି ହୋଇ ନପାରିଲେ ତାହା ମୁଣ୍ଡା ହୋଇଯାଏ। ଏହି ମୁଣ୍ଡାଗୁଡ଼ିକୁ ଗୁଣ୍ଡ କରି ନୂଆ ତଥା ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ଭର୍ତ୍ତି କରି ବଜାରବିକ୍ରି ହେଉଥିବାର ଜଣାପଡ଼ିଥିଲା। ସିମେଣ୍ଟ ବସ୍ତାଗୁଡ଼ିକ ବଜାର ଦରରେ ବିକ୍ରି ହେଉଥିଲା।

ଆଜି ପୁଲିସ ଏକ ମୁଣ୍ଡା ସିମେଣ୍ଟ ବସ୍ତା ବୋଝେଇ ଟ୍ରକକୁ ତଲାସୀ ନେବାବେଳେ ନକଲି ସିମେଣ୍ଟ ସମ୍ପର୍କରେ ସୂଚନା ପାଇଥିଲା। ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜୋନ୍‌-୧ ଏସିପି ଅମରେନ୍ଦ୍ର ପଣ୍ଡା, ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଉକ୍ତ କାରଖାନାରେ ଚଢ଼ଉ କରିଥିଲେ। ଅପମିଶ୍ରିତ ସିମେଣ୍ଟ ଜବତ ସହ ଏହାର ମାନ ପରୀକ୍ଷା କରିବା ପାଇଁ ଲାବୋର୍‌ଟୋରୀକୁ ପଠାଇଛି।