ଓଲଟିଲା କପା ବୋଝେଇ ଟ୍ରାକ୍ଟର, ଆଖି ବୁଜିଲେ ୨

ରାୟଗଡ଼ା,ଏନ୍ଏନ୍ଏସ୍: ଗତକଲି ବିଳମ୍ବିତ ରାତ୍ରିରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅଧୀନ ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଓଲଟି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ମାଝିଗୁଡ଼ାରୁ ଏକ କପା ବୋଝେଇ ଟ୍ରାକ୍ଟର ବେଲଗମା ଯାଉଥିବା ବେଳେ ତ୍ରିକାଳପାଡୁ ନିକଟରେ ଏହା ଓଲଟି ପଡ଼ିଥିଲା। ଉକ୍ତ ସମୟରେ ଟ୍ରାକ୍ଟରରେ ଡ୍ରାଇଭର ସହ ୩ ମହିଳା ହେଲପର ଥିଲେ। ମାତ୍ରାଧିକ କପା ଲୋଡ ହେଇଥିବାରୁ ଗାଡ଼ି ଓଲଟି ପଡ଼ିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ହେଲପରଙ୍କର ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହେଇଥିବା ଜଣାପଡ଼ିଛି। ଅନ୍ୟ ୨ ଜଣ ମହିଳା ଲେବର ଗୁରୁତର ଥିବା ବେଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ‌ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।